ହୀରାକୁଦର ୭ ଗେଟ୍ ଖୋଲା, ନିଷ୍କାସିତ ହେଉଛି ବନ୍ୟାଜଳ
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁ ହୀରାକୁଦର ଆଉ ୫ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୭୭ ଫୁଟ ରହିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୭ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। । ବର୍ତ୍ତମାନ ପୂର୍ବାହ୍ନ ସାଢ଼େ ୯ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୧୯.୦୨ ଫୁଟକୁ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୧ ହଜାର ୨୪୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।ଅପରପକ୍ଷରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍ ୧ ଲକ୍ଷ ୪୨ ହଜାର ୨୮୪ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ୧ ଲକ୍ଷ ୦୯ ହଜାର ୧୪୪ ଘନଫୁଟ ଏବଂ ବିଭିନ୍ନ କେନାଲ, ବିଦ୍ୟୁତ୍ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ ୩୩,୧୪୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ହୀରାକୁଦରୁ ଅଧିକ ପାଣି ନିଷ୍କାସନ ହେଉଥିବାରୁ ମହାନଦୀ ଅବବାହିକାରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ତେଣୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଓ ଗେଟ୍ ଖୋଲା ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି।