ବାଂଲାଦେଶୀ ଅଭିନେତ୍ରୀ ହୁମାଇରାଙ୍କ ପରଲୋକ

ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସନ୍ଦେହଜନକ ଭାବେ ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମାତ୍ର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଅଭିନେତ୍ରୀ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହୁମାଇରା ହିମୁଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା । ପରେ ତାଙ୍କୁ ତୁରନ୍ତ ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ଚିକିତ୍ସା ସମୟରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଅଭିନେତ୍ରୀଙ୍କ ହଠାତ ମୃତ୍ୟୁ ହେତୁ ତାଙ୍କ ପରିବାର ଏବଂ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି । ଏନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅଭିନେତ୍ରୀଙ୍କ ବେକରେ ଏକ ଚିହ୍ନ ଦେଖିଥିଲେ, ଏହା ପରେ ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ସେହି ସମୟରେ ଡାକ୍ତରଖାନାରେ ତାଙ୍କ ସହ ଉପସ୍ଥିତ ଥିବା ଅଭିନେତ୍ରୀଙ୍କ ବନ୍ଧୁ ପୋଲିସ ପହଞ୍ଚିବା ପୂର୍ବରୁ ପଳାଇ ଯାଇଥିଲେ। ବର୍ତ୍ତମାନ ପୋଲିସ ତାଙ୍କୁ ଖୋଜିବା ଜାରି ରଖିଛି। 

ଅଭିନେତ୍ରୀଙ୍କ ଜଣେ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଥିବା ପୋଲିସ ଦାବି କରିଛି । ଦୁହିଁଙ୍କ ମଧ୍ୟରେ କିଛି ବିବାଦ ପରେ ହୁମାଇରା ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏହାର କୌଣସି ଦୃଢ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

You might also like