BCCIର ବଡ଼ ଘୋଷଣା: ଘରୋଇ କ୍ରିକେଟ ନିୟମରେ ପରିବର୍ତ୍ତନ
ଘରୋଇ କ୍ରିକେଟ ସିଜିନ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପୁଣି କିଛି ନିୟମରେ ପରିବର୍ତ୍ତନ କରିଛି । ମେଲବର୍ଣ୍ଣ କ୍ରିକେଟ କ୍ଲବ ଦ୍ବାରା କ୍ରିକେଟ ନିୟମରେ କରାଯାଇଥିବା ସଂଶୋଧନ ପରେ ବିସିସିଆଇ ନିଜର ଘରୋଇ ଟୁର୍ଣ୍ଣାମେଣ୍ଟ ପାଇଁ ନୂଆ ନିୟମ ଲାଗୁ କରିଛି । ଏହି ପରିବର୍ତ୍ତନର ପ୍ରଭାବ ବୋଲର, ୱିକେଟ କିପର୍ସ ଏବଂ ମଲ୍ଟି-ଡେ ମ୍ୟାଚ ସଂଚାଳନ ଉପରେ ପଡ଼ିବ । ସବୁଠାରୁ ବଡ଼ ନିଷ୍ପତ୍ତି ସେହି ବୋଲର୍ ମାନଙ୍କୁ ନେଇ ନିଆଯାଇଛି ଯେଉଁମାନେ ଜାଣିଶୁଣି ନୋ-ବଲ ପକାନ୍ତି। ଏବେ ଏପରି କଲେ ବୋଲରଙ୍କୁ ସମଗ୍ର ମ୍ୟାଚ ପାଇଁ ବାସନ୍ଦ କରାଯିବ। ଏହାବ୍ୟତୀତ, ମଲ୍ଟି-ଡେ ମୁକାବିଲାରେ ଦିନର ଶେଷ ଓଭରକୁ ନେଇ ମଧ୍ୟ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବିସିସିଆଇ ଏହି ସଂଶୋଧିତ ନିୟମଗୁଡ଼ିକର ସୂଚନା ସମସ୍ତ ରାଜ୍ୟ କ୍ରିକେଟ ସଂଘକୁ ପଠାଇ ଦେଇଛି। ଏହା ପୂର୍ବରୁ ବୋଲରକୁ କେବଳ ସେହି ଇନିଂସରେ ବୋଲିଂ କରିବାକୁ ମନା କରାଯାଉଥିଲା, କିନ୍ତୁ ମ୍ୟାଚରେ ରହୁଥିଲା । ଦ୍ବିତୀୟ ଇନିଂସରେ ବୋଲିଂ କରିପାରୁଥିଲେ । କିନ୍ତୁ ଏବେ ଏମିତି ହେବ ନାହିଁ ।
ବିସିସିଆଇ ମଲ୍ଟି ଡେ ଅର୍ଥାତ୍ ଫାଷ୍ଟକ୍ଲାସ କ୍ରିକେଟରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି । ଏବେ ଶେଷ ଓଭର ସମୟରେ ୱିକେଟ ପଡିଲେ ଖେଳ ତୁରନ୍ତ ଶେଷ ହେବ ନାହିଁ । ଯଦି ଶେଷ ଓଭରର ୫ମ ବଲରେ ୱିକେଟ ଯାଏ ତେବେ ନୂଆ ବ୍ୟାଟର ମଇଦାନକୁ ଆସି ଶେଷ ବଲ୍ ଖେଳିବାକୁ ହେବ ।ଡ୍ରିଙ୍କସ ବ୍ରେକ ବେଳେ ଅଧିନାୟକ ମଇଦାନକୁ ଯାଇ ନିଜ ଖେଳାଳିଙ୍କ ସହିତ କଥାବାର୍ତ୍ତା କରିପାରିବେ । ପୂର୍ବରୁ ଏହାକୁ ନେଇ ବାରଣ ରହିଥିଲା ।ୱିକେଟ କିପର ନୂଆ ନିୟମ ଅନୁଯାୟୀ ଆଶ୍ବସ୍ତି ମିଳିବ । ବୋଲିଂ ସମୟରେ ନିଜ ହାତକୁ ଷ୍ଟମ୍ପ୍ସ ଆଗରେ ରଖିପାରିବେ, କିନ୍ତୁ ବୋଲର ବଲ୍ ଛାଡିବା ବେଳେ ତାଙ୍କ ହାତ ଷ୍ଟମ୍ପ ପଛକୁ ରହିଥିବା ଜରୁରୀ ।