SIRକୁ ବୈଧ ଘୋଷଣା କଲେ ସୁପ୍ରିମକୋର୍ଟ
ଭାରତୀୟ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା ଭୋଟର ତାଲିକା ସଂଶୋଧନ ପାଇଁ ଲାଗୁ କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିଛନ୍ତି।ଇସିଆଇଙ୍କର ଏସ୍ଆଇଆର୍ କରିବାର ଅଧିକାର ଅଛି ଓ ଏହା କୌଣସି ବୈଧାନିକ କିମ୍ବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।ସମ୍ବିଧାନ ଏବଂ ଜନପ୍ରତିନିଧି ଆଇନ ଅଧୀନରେ ନିର୍ବାଚନ କମିଶନଙ୍କ ପାଖରେ ଭୋଟର ତାଲିକା ସଂଶୋଧନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ବିହାରରେ ଭୋଟର ତାଲିକାର ଏସ୍ଆଇଆର୍କୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନଗୁଡ଼ିକ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କର ରାୟ ପ୍ରଦାନ କରିଛନ୍ତି।ଆୟୋଗ ଭୋଟରଙ୍କ ନାଁ କାଟି ପାରିବ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଆଉ ଭାରତର ନାଗରିକ ନୁହଁନ୍ତି। ନାଗରିକତ୍ୱ ନିର୍ଣ୍ଣୟ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ବିଚାରପତି ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଚଳିତ ବର୍ଷ ଆରମ୍ଭରେ ଏକ ଦୀର୍ଘ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ ଓ ବୁଧବାର ଦିନ ତାଙ୍କର ନିଷ୍ପତ୍ତି ଶୁଣାଇଥିଲେ। ସୂଚନାମୁତାବକ ଗତ ବର୍ଷ ଜୁନ୍ ମାସରେ ନିର୍ବାଚନ କମିଶନ ପ୍ରଥମେ ବିହାରରୁ ଏହି ‘ଭୋଟର ତାଲିକା ସଫେଇ ଅଭିଯାନ’ ଆରମ୍ଭ କରିଥିଲେ। ତାଲିକାରେ ଥିବା ଜାଲ୍ (Bogus), ନକଲି (Duplicate), ମୃତ ବ୍ୟକ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କ ନାମ ହଟାଇ ଏକ ସଠିକ୍ ଓ ଅପଡେଟେଡ୍ ତାଲିକା ପ୍ରସ୍ତୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ତେବେ ସୁପ୍ରିମକୋର୍ଟଙ୍କ ଏହି ଶେଷ ରାୟ ପରେ ନିର୍ବାଚନ କମିଶନଙ୍କ ସଂଶୋଧନ ପ୍ରକ୍ରିୟା ଉପରେ ଲାଗିଥିବା ଆଇନଗତ ପ୍ରତିବନ୍ଧକ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯାଇଛି।