ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ଶେଷକୃତ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର । ଏନେଇ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ବିଗତ କିଛି ଦିନ ଧରି ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡ଼ିତ ଥାଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେ । ଶୁକ୍ରବାର ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୬ ବର୍ଷ ହୋଇଥିଲା । ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ।

ପ୍ରାୟ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି । ଏହାଛଡ଼ା ୬ଟି ଫିଲ୍ମରେ ସେ ଅଭିନୟ କରିଥିଲେ । ସ୍ୱରୂପଙ୍କ ପୈତୃକ ଘର ବୟାଳିଶମୌଜା ଧୂଳେଶ୍ୱର ଗାଁରେ । କଟକ ସହରର କାଫଲା ବଜାରରେ ୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ବାସୁଦେବ ନାୟକ ଓ ମା’ ସେବତୀ ନାୟକଙ୍କର ସେ ଥିରେ ଅଷ୍ଟମ ସନ୍ତାନ । ଭକ୍ତ ମଧୁ ବିଦ୍ୟାପୀଠରେ ପଢ଼ିବା ପରେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଅଭିନୟ ଓ ସଂଗୀତ ପ୍ରତି ତାଙ୍କର ପିଲାଦିନରୁ  ଦୁର୍ବଳତା ଥିଲା । ଜୀବନ ବ୍ୟାପି ସାଧନା ପାଇଁ ତରଙ୍ଗ ପକ୍ଷରୁ ସ୍ୱରୂପ ଦା’ଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ଦିଆଯାଇଛି।

You might also like