ଏପ୍ରିଲ ୧ରେ ଭୁବନେଶ୍ୱରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

୨୦୨୬ ଏପ୍ରିଲ ୧ ରୁ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୟୁକେ ଏବଂ କେତେକ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯିବ । ଭିସା କେନ୍ଦ୍ର ସହିତ ‘ଭିସା କନସିଅର୍ଜ ସେବା’ ମଧ୍ୟ ଉପଲବ୍ଧ ହେବ, ଯାହା ଫର୍ମ ପୂରଣ, ବୀମା ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୁ ସହଜ କରିବ ।ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀମାନଙ୍କୁ ଆଉ ଭିସା କାମ ପାଇଁ କୋଲକାତା କିମ୍ବା ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ । ଏହାଦ୍ୱାରା ସେମାନଙ୍କର ସମୟ, ଅର୍ଥ ଓ ପରିଶ୍ରମ ବଞ୍ଚିବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଓଡ଼ିଶାର ଆନ୍ତର୍ଜାତୀୟ ସଂଯୋଗୀକରଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ।