ଏପ୍ରିଲ ମାସ ଆରମ୍ଭରୁ ଡ଼ହଡ଼ହ ଖରା, ୪ ଦିନରେ ୪ ଡିଗ୍ରୀ ବଢିବ ପାରଦ
ଏପ୍ରିଲ ମାସ ଆରମ୍ଭରୁ ଡ଼ହଡ଼ହ ଖରା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ଆହୁରି ବଢ଼ିବ ଖରା । ଆସନ୍ତା ୪ଦିନରେ ଆହୁରି ୪ଡିଗ୍ରୀ ବଢ଼ିପାରେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୯ ତାରିଖ ଯାଏ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବ ନାହିଁ । ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ସହ ପଣା ସଂକ୍ରାନ୍ତି ଅର୍ଥାତ୍ ଆଜି ଠାରୁ ବଢ଼ିବ ତାତିର ପ୍ରକୋପ । ଆଜି ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଂଜାମ,ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେ ଅସହ୍ୟ ଗରମ ସହ ଗୁଳୁଗୁଳିର ସମ୍ଭାବନା ଥିବା ବେଳେ ଜିଲାଗୁଡ଼ିକୁ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେବଳ ଉପକୂଳ ନୁହେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର , ବରଗଡ଼, ଝାରସୁଗୁଡା ଓ ସମ୍ବଲପୁରରେ ବି ଉଷ୍ମ ଓ ଆଦ୍ର ସ୍ଥିତି କୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ।ବୁଧବାର(୧୫ ତାରିଖ) ବଲାଙ୍ଗୀର, କନ୍ଧମାଳ, ଝାରସୁଗୁଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ବହିପାରେ । ଟିଟିଲାଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ସୋନପୁରରେ ୪୩, ବୌଦ୍ଧରେ ୪୨, ନୂଆପଡ଼ା, ଭବାନୀପାଟଣା ଓ ବାରିପଦାରେ ୪୧ ଡିଗ୍ରୀ ରହିପାରେ ।
