ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ କନଷ୍ଟେବଳ ରଶ୍ମିତା ସାହୁ

ଓଡ଼ିଶା ପୋଲିସର କନଷ୍ଟେବଳ ରଶ୍ମିତା ସାହୁ ଜଣେ ସଫଳ କ୍ରୀଡ଼ାବିତ୍ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଏସିଆନ୍ ଗେମ୍ସରେ ଦେଶ ପାଇଁ ପଦକ ଜିତିବା ଲକ୍ଷ୍ୟରେ ସେ ଉତ୍ତରାଖଣ୍ଡର ଟିହରି ପାହାଡ଼ି ଅଞ୍ଚଳରେ ଦିନରାତି କଠିନ ଅଭ୍ୟାସ ଜାରି ରଖିଛନ୍ତି । ପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରୁଛନ୍ତି ।କଟକ ଚୌଦ୍ବାରର ଏକ ଅଭାବୀ ପରିବାରରେ ଜନ୍ମିତ ରଶ୍ମିତାଙ୍କ ପିଲାଦିନ ସୁଖମୟ ନଥିଲା। ବାପା ଜଣେ ମତ୍ସ୍ୟଜୀବୀ, ନଦୀରୁ ମାଛ ମାରି ଯାହା ମିଳେ ସେଥିରେ ପରିବାର ଚଳେ। ୨୦୧୧ରେ ବାପାଙ୍କ ଦୁର୍ଘଟଣା ଏବଂ ପରେ ମାଆଙ୍କୁ ହରାଇବା ରଶ୍ମିତାଙ୍କ ପାଇଁ ବଡ଼ ଝଟକା ଥିଲା। କିନ୍ତୁ ସେହିଦିନ ଭାଗ୍ୟ ବଦଳିଲା, ଯେଉଁଦିନ ସେ ନଦୀରେ ପହଁରୁଥିବା ବେଳେ ଏକ କାନୋଇଂ ବୋଟ୍ ଦେଖିଲେ। ସେବେଠାରୁ ପାଣି ସହ ତାଙ୍କର ନିବିଡ଼ ସମ୍ପର୍କ ଆରମ୍ଭ ହୋଇଥିଲା। ନିକଟରେ ଶ୍ରୀନଗରରେ ଆୟୋଜିତ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ ଫେଷ୍ଟିଭାଲରେ ସେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଏହି ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ରଶ୍ମିତାଙ୍କ ସହ କଥା ହେବା ସହ ତାଙ୍କ ଜୀବନ ସଂଗ୍ରାମକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଜଣେ ମତ୍ସ୍ୟଜୀବୀଙ୍କ ଝିଅ ହୋଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କରିବା କୌଣସି ଚମତ୍କାରଠାରୁ କମ୍ ନୁହେଁ।ବର୍ତ୍ତମାନ ସୁଦ୍ଧା ସେ ମୋଟ ୪୧ଟି ପଦକ ଜିତି ସାରିଛନ୍ତି, ଯେଉଁଥିରେ ୧୩ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଓ ୧୪ଟି ବ୍ରୋଞ୍ଜ ସାମିଲ ଅଛି। ନିଜକୁ ଶାଣିତ କରିବା ପାଇଁ ସେ ପ୍ରତିଦିନ ୮ରୁ ୯ ଘଣ୍ଟା ଅଭ୍ୟାସ କରନ୍ତି। ବର୍ତ୍ତମାନ ସେ ଉତ୍ତରାଖଣ୍ଡର ତେହେରି ଗଡ଼ୱାଲର ପ୍ରତିକୂଳ ପାଗରେ ଏସିଆନ୍ ଗେମ୍ସ ପାଇଁ କଠୋର ପ୍ରଶିକ୍ଷଣ ନେଉଛନ୍ତି।