କୋଠପଦା ଠାରେ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ

ମାହାଙ୍ଗା -୫/୪ ଗୁରୁ- ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ହାଇସ୍କୁଲ ଜୀବନର ଶତାଧିକ ଛାତ୍ର-ଛାତ୍ରୀ ଏକାଠି ହେବା ଦେଖିବାକୁ ମିଳିଥିଲା l
ଦୀର୍ଘ ୨୫ ବର୍ଷ ତଳେ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏହି ବିଦ୍ୟାର୍ଥୀ ମାନେ ଏବେ ସମାଜରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି l
ରଘୁନାଥ ବିଦ୍ୟାପୀଠ କୋଠପଦାର ୨00୧ ମସିହା ମେଟ୍ରିକ ବ୍ୟାଚର ଏହି ପୁରାତନ ଛାତ୍ର ଛାତ୍ରୀ ମାନେ ଏକ ଉତ୍ସବର ଆୟୋଜନ କରିଥିଲେ l
ଏହି ପୁରାତନ ଛାତ୍ର-ଛାତ୍ରୀ ମାନେ ସେମାନଙ୍କ ସ୍କୁଲ ଜୀବନର ଗୁରୁ ଓ ଗୁରୁମା’ ମାନଙ୍କୁ ଆମନ୍ତ୍ରଣ କରି ସ୍ଥାନୀୟ କୋଠପଦା ଗୌରୀ ମଣ୍ଡପରେ ଏକ ଭବ୍ୟ ଉତ୍ସବର ଆୟୋଜନ କରିବା ଦେଖିବାକୁ ମିଳିଥିଲା l
ବିଦ୍ୟାଳୟର ପୁରାତନ ଛାତ୍ର ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ବଟ କିଶୋର ପଣ୍ଡା, ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ଦେବୀ,ଶିକ୍ଷାବିତ କ୍ଷୀରୋଦ ଚନ୍ଦ୍ର ପତି, ଆଦର୍ଶ ଶିକ୍ଷକ ମୋହିଉଦ୍ଦିନ ଖାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l
ଉଭୟ ଗୁରୁ ଓ ଗୁରୁମାଙ୍କ ସହିତ ସାହିତ୍ୟିକ ଅଖିଳେଶ ମହାନ୍ତି, ବିଦ୍ୟାଳୟର ପୁରାତନ କର୍ମଚାରୀ ସୁଶାନ୍ତ କୁମାର ନନ୍ଦ ଓ ମାଧବାନନ୍ଦ ବେହେରାଙ୍କୁ ପୁରାତନ ଛାତ୍ର-ଛାତ୍ରୀ ମାନେ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ଫୁଲ ଓ ଚନ୍ଦନ ଦେଇ ସମସ୍ତଙ୍କୁ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଥିଲା l
ଶିକ୍ଷକମାନଙ୍କ ଆଶୀର୍ବାଦ ଓ କରୁଣାରୁ ସେଦିନର ସେହି ବିଦ୍ୟାର୍ଥୀ ମାନେ ଆଜି ଜୀବନର ଲକ୍ଷ୍ୟ ସ୍ଥଳୀରେ ପହଂଚି ପାରିଛନ୍ତି ଏବଂ ଭଲ ମଣିଷ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଥିବାରୁ ସଭାରେ ଉପସ୍ଥିତ ଗୁରୁମାନେ ଖୁସିବ୍ୟକ୍ତ
କରିଥିଲେ l
ପୁରାତନ ଛାତ୍ର ପଞ୍ଚାନନ ବିହାରୀ ସ୍ୱାଗତ ଭାଷଣ ଏବଂ ପୁରାତନ ଛାତ୍ର ବିଭୁତି ଭୂଷଣ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l
ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ଶଶୀକାନ୍ତ ପଲେଇ ଏବଂ ପୁରାତନ ଛାତ୍ରୀ ରୁକ୍ମଣୀ ଦାସଙ୍କ ଅକାଳ ବିୟୋଗରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l
ସତ୍ୟ,ନ୍ୟାୟ, ପରୋପକାର ଓ ଅହିଂସାକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିପାରିଲେ,ମାନବ ଜୀବନ ଧନ୍ୟ ହୋଇଯାଏ ବୋଲି ନିମନ୍ତ୍ରିତ ଗୁରୁମାନେ ଆହ୍ୱାନ ଦେଇଥିଲେ l
ଶତାଧିକ ପୁରାତନ ବିଦ୍ୟାର୍ଥୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଏହି ବନ୍ଧୁମିଳନ ଉତ୍ସବରେ ସାମିଲ
ହୋଇଥିଲେ l
ଗୁରୁ-ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଏଭଳି ଉଦ୍ୟମ ଅନ୍ୟମାନଙ୍କୁ ନିଶ୍ଚୟ ଉତ୍ସାହିତ କରିବ ବୋଲି ମତ ପ୍ରକାଶ ପାଇଥିଲା l