ବସନ୍ତପୁର ଗ୍ରାମରେ ଅଖଣ୍ଡ ହନୁମାନ ଚାଳିଶା ଓ ଅଷ୍ଟପ୍ରହର ନାମଯଜ୍ଞ

ଗଣିଆ,( ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ରାସଙ୍ଗ ପଚାଂୟତର ବସନ୍ତପୁର ଗ୍ରାମରେ ରବିବାର ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର କଲ୍ୟାଣ ନିମନ୍ତେ ଚଳିତ ଚୈତ୍ରମାସ କୃଷ୍ଣପକ୍ଷ ଦଶମୀରେ ଶନିବାର ଦିନ ଗଣିଆ ସ୍ଥିତ ବସନ୍ତପୁର ଗ୍ରାମରେ ଅଖଣ୍ଡ ହନୁମାନ ଚାଳିଶା ପାଠ ସହିତ ଅଧିବାସ କାର୍ଯ୍ୟକ୍ରମ ହୋଇଥିଲା । ଅପରାହ୍ନରେ ଶୁଭାଧିବାସ ଅବସରରେ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇ ଠାକୁରଙ୍କୁ ଆବାହନ କରାଯାଇଥିଲା । ଶନିବାର ସକାଳୁ ଘୃତଯଜ୍ଞ ସହ ନାମ ସଂକୀର୍ତନ ଆରମ୍ଭ ହୋଇଥିଲା । ରବିବାର ଦିନ ଦିନ ତମାମ ଅଷ୍ଟପ୍ରହର ନାମଯଜ୍ଞ ମହା ସମାରୋହରେ ପାଳିତ ହୋଇଥିଲା । ଗଣିଆ ବ୍ଲକର କାଦୁଆ, ହଟିଆପଲ୍ଲୀ, ରାସଙ୍ଗ, ମାଳତିପୁଟ,ବସନ୍ତପୁର ଗ୍ରାମର ୬ଟି ସଂକୀର୍ତନ ଦଳ ହରିନାମ ମହାମନ୍ତ୍ର ଜପ କରିଥିଲେ । ସୋମବାର ସକାଳୁ ପୂର୍ଣାହୂତି ସହ ନଗରକୀର୍ତନ ଓ କଳସ ଉଦ୍‌ଯାପନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକ ଭକ୍ତଙ୍କଠାରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।