ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର

ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି ।ଗତ ୫ ମାସ ମଧ୍ୟରେ ଓମ୍ଫେଡ୍ ଦ୍ୱିତୀୟ ଥର ପାଇଁ କ୍ଷୀର ଦର ବୃଦ୍ଧି କରିଛି । ପ୍ରିମିୟମ୍ କ୍ଷୀର ପୂର୍ବରୁ ଲିଟର ପିଛା ୫୮ ଟଙ୍କା ଥିବାବେଳେ ଏବେ ବୃଦ୍ଧି ପାଇ ୬୦ ଟଙ୍କା ହୋଇଛି । ଗୋଲ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ି ୬୨ ଟଙ୍କାରେ ପହଞ୍ଚିଛି । ଗୋଲ୍ଡ ପ୍ଲସ୍ ୬୬ ଟଙ୍କା ଏବଂ ଟୋନ୍ ଡ କ୍ଷୀର ୫୮ ଟଙ୍କାକୁ ବୃଦ୍ଧି ପାଇଛି। ଓମ୍ଫେଡ୍ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୯ରୁ କ୍ଷୀର ଉତ୍ପାଦକମାନଙ୍କୁ ଲିଟର ପିଛା ଅତିରିକ୍ତ ୨ ଟଙ୍କା ଦିଆଯାଉଛି।ତେବେ ପୂର୍ବରୁ ସମ୍ପୃକ୍ତ ମନ୍ତ୍ରୀ ଅତିରିକ୍ତ ଖର୍ଚ୍ଚର ବୋଝ ଗ୍ରାହକଙ୍କ ଉପରେ ଲଦାଯିବ ନାହିଁ ଏବଂ ଓମ୍‌ଫେଡ୍ ନିଜେ ଏହା ବହନ କରିବ ବୋଲି ଆଶ୍ୱାସନ ଦେଇଥିଲେ। ଏହା ସତ୍ତ୍ୱେ କ୍ଷୀର ଦର ବଢ଼ାଯାଇଛି।