ଆସିଲା ୨୦୨୭ ବିଶ୍ୱକପ୍ ସ୍କେଡ୍ୟୁଲ୍, ଏହି ଦିନ ହେବ ଭାରତ-ପାକିସ୍ତାନ ମୁକାବିଲା
ଆଇସିସି ୨୦୨୭ ଦିନିକିଆ ବିଶ୍ୱକପ୍ର ସ୍କେଡ୍ୟୁଲ୍ ଘୋଷଣା କରିଛି। କ୍ରିକେଟ୍ର ଏହି ମହାକୁମ୍ଭ ଅକ୍ଟୋବର ୨, ୨୦୨୭ରୁ ଆରମ୍ଭ ହୋଇ ନଭେମ୍ବର ୨୧ରେ ଫାଇନାଲ୍ ସହ ଶେଷ ହେବ। କେପଟାଉନ୍ରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି।ଟୁର୍ଣ୍ଣାମେଣ୍ଟର ଆଗାମୀ ସଂସ୍କରଣ ଏକ ନୂତନ ଫର୍ମାଟରେ ଅନୁଷ୍ଠିତ ହେବ । ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ମିଳିତ ଭାବେ ଏହାର ଆୟୋଜନ ହେବ । ଟିମ ସଂଖ୍ୟା ୧୪କୁ ବୃଦ୍ଧି କରାଯାଇଛି । ଟୁର୍ଣ୍ଣାମେଣ୍ଟ ସେମିଫାଇନାଲରେ ପହଞ୍ଚିବା ପୂର୍ବରୁ ମୋଟ ତିନି ରାଉଣ୍ଡ ଖେଳ ଅନୁଷ୍ଠିତ ହେବ । ଶେଷ ତିନୋଟି ସ୍ଥାନରେ ଥିବା ଦଳକୁ ନେଇ ଏକ ସୁପର ସିରିଜ ସହିତ ଆରମ୍ଭ ହେବ । ସେଠାରୁ ଶୀର୍ଷ ଦଳ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିବ । ଏଠାରେ ଛଅଟି ଦଳ ଥିବା ଦୁଇଟି ଗ୍ରୁପ୍ ରହିବ । ତୃତୀୟ ରାଉଣ୍ଡରେ ଦୁଇଟି ଗ୍ରୁପର ସର୍ବଶ୍ରେଷ୍ଠ ସାତଟି ଦଳ ସୁପର ସେଭେନରେ ପ୍ରବେଶ କରିବେ । ସାତ ଟିମଙ୍କ ମଧ୍ୟରୁ ଚାରିଟୋ ଟିମ୍ ସେମିଫାଇନାଲରେ ପ୍ରବେଶ କରିବେ ।ମୋଟ ୧୨ଟି ଭେନ୍ୟୁରେ ୫୭ଟି ମ୍ୟାଚ୍ ଖେଳାଯିବ। ଏଥିରୁ ଦକ୍ଷିଣ ଆଫ୍ରିକାରେ ୮ଟି, ଜିମ୍ବାୱେରେ ୩ଟି ଏବଂ ନାମିବିଆରେ ଗୋଟିଏ ଭେନ୍ୟୁ ରହିଛି।ଭାରତୀୟ ଦଳ ଅକ୍ଟୋବର ୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ତେବେ କ୍ରିକେଟ୍ପ୍ରେମୀଙ୍କ ନଜର ସବୁଠାରୁ ଅଧିକ ଭାରତ-ପାକିସ୍ତାନ ମୁକାବିଲା ଉପରେ ରହିବ। ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଅକ୍ଟୋବର ୧୦ରେ ଖେଳାଯିବ। ଭାରତ ଓ ପାକିସ୍ତାନକୁ ସମାନ ଗ୍ରୁପ୍ରେ ରଖାଯାଇଛି।ଗ୍ରୁପ୍-ଏ: ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଜିମ୍ବାୱେ ଓ କ୍ୱାଲିଫାୟର୍-ଏ।
ଗ୍ରୁପ୍-ବି: ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ କ୍ୱାଲିଫାୟର୍-ବି।