ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ  ମଧ୍ୟସ୍ଥତାରେ ମହାନଦୀ ବିବାଦ ନେଇ ବୈଠକ ହେବ ।  ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ  ସାଏ ଯୋଗଦେବେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ଆଲୋଚନାରେ ଭାଗ ନେବେ । ଅପରାହ୍ନ ୪ଟାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ମହାନଦୀ ଜଳର ବଣ୍ଟନ, ପରିଚାଳନା ଓ ଉଭୟ ରାଜ୍ୟ ମଧ୍ୟରେ ଥିବା ଦୀର୍ଘଦିନର ମତଭେଦକୁ ନେଇ ଆଲୋଚନା ହେବ । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ ସେଣ୍ଟ୍ରାଲ ୱାଟର କମିସନ୍‌ର ବୈଷୟିକ ତଥ୍ୟ ମଧ୍ୟ ଆଲୋଚନାର ଆଧାର ହୋଇପାରେ ।ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ମତଭେଦ ରହିଆସିଛି । ଉପରମୁଣ୍ଡରେ ନିର୍ମାଣ ଏବଂ ଜଳ ନିୟନ୍ତ୍ରଣ ଯୋଗୁଁ ଓଡ଼ିଶାକୁ ତଳମୁଣ୍ଡରେ ଜଳ ପ୍ରବାହ ପ୍ରଭାବିତ ହେଉଥିବା ନେଇ ଆପତ୍ତି ଉଠାଇଆସିଛି । ଏହି ବିବାଦ ୨୦୧୮ରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି ।ତେବେ ଏବେ ଉଭୟ ରାଜ୍ୟ ଆଲୋଚନା ଓ ଆପୋସ ବୁଝାମଣା ମାଧ୍ୟମରେ ସମାଧାନର ରାସ୍ତା ଖୋଜିବା ଦିଗରେ ଆଗକୁ ବଢୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ  ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।