ସ୍ୱଚ୍ଛତା ହିଁ ସେବା” ଅଭିଯାନ: ସଫେଇ ଓ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ବ୍ଲକ କର୍ମଚାରୀ ଓ ସ୍ୱେଚ୍ଛାସେବୀ

“ଗଣିଆ -(ବିଶ୍ୱରଂଜନ ସେଠି )ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅବସରରେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ ସଫେଇ ଓ ସଚେତନତା ଅଭିଯାନ ସଫଳତାର ସହ ଗୁରୁବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପରିବେଶକୁ ପରିଷ୍କାର ଓ ପ୍ରଦୂଷଣମୁକ୍ତ ରଖିବା ସହ ସାଧାରଣ ଜନତାଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ଶ୍ରମିକମାନେ ସମ୍ପୂର୍ଣ୍ଣ ସୁରକ୍ଷା ପଦକ୍ଷେପ ଆପଣାଇ ପ୍ରତ୍ୟକ୍ଷ ଭାବେ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀ ସୁରକ୍ଷା ହେଲମେଟ୍, ସେଫ୍ଟି ଜ୍ୟାକେଟ୍, ମାସ୍କ, ଗ୍ଲୋବ୍ସ ଏବଂ ସେଫ୍ଟି ବୁଟ୍ ପରିଧାନ କରି ସୁରକ୍ଷିତ ଭାବେ ଶ୍ରମଦାନ କରିଥିଲେ।ହାତରେ ଝାଡ଼ୁ ଓ ସଫେଇ ସାମଗ୍ରୀ ଧରି କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ବ୍ଲକ କାର୍ଯ୍ୟାଳୟ ପରିସର, ଅଫିସର କ୍ୱାଟର, ସଂଯୋଗକାରୀ ରାସ୍ତାଘାଟ ଏବଂ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଫା ସୁତୁରା କରିଥିଲେ। ଜମା ହୋଇଥିବା ଆବର୍ଜନା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ନିଷ୍କାସନ କରାଯିବା ସହ ପରିବେଶକୁ ସ୍ୱଚ୍ଛ ରଖିବାର ଦୃଢ଼ ସନ୍ଦେଶ ଦିଆଯାଇଥିଲା।ଏହି ଅଭିଯାନରେ ଜିପିଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଡବ୍ଲୁଓ ସମୀର ସାହୁ, ବିଆରସି ସୁରଜ ନାୟକ, ଏପିଓ ବିଭୁ ପ୍ରସାଦ ସାଥୁଆ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ମୟଲ ମଲ୍ଲିକଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ “ସ୍ୱଚ୍ଛତା ହିଁ ସେବା”ର ବ୍ୟାନର ଓ ପୋଷ୍ଟର ଧରି ସାଧାରଣ ଜନତାଙ୍କୁ ନିଜ ନିଜର ଆଖପାଖ ଅଞ୍ଚଳ ସଫା ରଖିବାକୁ ଅନୁରୋଧ କରିଥିଲେ। ନିଜର ବାସସ୍ଥାନ ଓ କର୍ମକ୍ଷେତ୍ରକୁ ପରିଷ୍କାର ରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।