ମୌସୁମୀ ଋତୁ ଶେଷ ।୩ ମାସ ଶୁଖିଲା ରହିବ ପାଗ

ଓଡ଼ିଶାରେ ସରିଲା ୨୦୨୬ ମୌସୁମୀ ବର୍ଷା ଋତୁ । ଚଳିତ ବର୍ଷ ଓଡ଼ିଶା ପାଇଁ ଭଲ ରହିଛି ମୌସୁମୀ ବର୍ଷା । ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ୨୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।ବିଭିନ୍ନ ରାଜ୍ୟରୁ  ବିଦାୟ ନେଇ ସାରିଲାଣି ମୌସୁମୀ। ଆସନ୍ତା ୨-୩  ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ  କରିବା ସମ୍ଭାବନା ରହିଛି ।ଏଣିକି ବର୍ଷା ହଜିଯିବ । ଅକ୍ଟୋବରରୁ  ଡିସେମ୍ବର ଯାଏ ରାଜ୍ୟରେ ବର୍ଷା  ପ୍ରାୟତଃ ନାହିଁ । ଏହି ଅବଧିରେ  ଯେତିକି ବର୍ଷା ହେବା କଥା,  ତା’ଠାରୁ ଢେର କମ୍‌ ରହିବ ।  ଏବେଠାରୁ ରାଜ୍ୟରେ ଖରା ପ୍ରକୋପ  ବଢ଼ିଲାଣି । ତାପମାତ୍ରା ୩୪-୩୫  ଡିଗ୍ରୀ ସେଲସିୟସ୍‌ ରହୁଛି ।  ଚିନ୍ତାର ବିଷୟ ହେଲା,  ତାପମାତ୍ରା । ଅକ୍ଟୋବର ମାସରେ ଦକ୍ଷିଣ  ଓ ପୂର୍ବ ଭାରତରେ ଅସ୍ୱାଭାବିକ ଗରମ  ଅନୁଭୂତ ହୋଇପାରେ । ଓଡ଼ିଶାରେ  ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ  ଯଥେଷ୍ଟ ଅଧିକ ରହିବା ସମ୍ଭାବନା  ଅଛି । ବିଶେଷ କରି ଉପକୂଳ, ଦକ୍ଷିଣ  ଏବଂ ଉତ୍ତରରେ  ଅଧିକ ତାପମାତ୍ରା  ରହିପାରେ । ଅନ୍ୟପଟେ ରାତି ବାତାବରଣ  ବି ଥଣ୍ଡା ପଡ଼ିବନି ।    ରାତିରେ ବି ସ୍ୱାଭାବିକ ତୁଳନାରେ ତାପମାତ୍ରା ଅଧିକ ରହିବ ।ବିଶେଷଜ୍ଞଙ୍କ ମତରେ ଚଳିତବର୍ଷ ସୁପର ଏଲ୍‌-ନିନୋ  ପ୍ରଭାବ ସେପ୍ଟେମ୍ବରରୁ ବଢ଼ିବାରେ ଲାଗିଛି । ଡିସେମ୍ବର ଯାଏ  ଏଲ୍‌-ନିନୋ ସ୍ଥିତି ଶୀର୍ଷ ସ୍ତରରେ ରହିବ । ଏହାର ଗୁରୁତର  ପ୍ରଭାବ ପଡ଼ିବ । ଏଥର ଶୀତ ପ୍ରାୟତଃ ହଜିଯିବ । ଦିନରେ  ଆକାଶ ମେଘମୁକ୍ତ ରହିବ । ଜଳୀୟବାଷ୍ପ ରହିବନି । ତେଣୁ  ଖରା ଟାଣ ହେବ । ଏମିତିକି ଅକ୍ଟୋବରରେ ଦିନ ତାପମାତ୍ରା  ୩୭ ଡିଗ୍ରୀ ଛୁଇଁପାରେ ।