ଅଭିଜିତ ଦୀପକେ ଏବଂ CJPକୁ ଆମେରିକାରୁ ହେଉଛି ଫଣ୍ଡିଂ: ଗାୟକ ମେରି ମିଲବେନ
ଭାରତର ରାଜନୈତିକ ପ୍ରସଙ୍ଗକୁ ନେଇ ପୁଣି ଥରେ ବଡ଼ ବୟାନ ଦେଇଛନ୍ତି ଆମେରିକୀୟ ଗାୟକ ମେରି ମିଲବେନ । CJP ନେତାମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ଆନ୍ଦୋଳନ ଚଳାଇଥିବା ବେଳେ, ଏହି ସଂଗଠନକୁ ଆମେରିକୀୟ ଡୋନରଙ୍କଠାରୁ ଆର୍ଥିକ ସହାୟତା ମିଳୁଥିବା ମିଲବେନ ଅଭିଯୋଗ କରିଛନ୍ତି ।ତେବେ ସେ କୌଣସି ଦାତାଙ୍କ ନାଁ ନେଇ ନାହାନ୍ତି ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେରି ମିଲବେନଙ୍କ ବୟାନ ଏପରି ସମୟରେ ଆସିଛି, ଯେତେବେଳେ ସିଜେପି ଦିଲ୍ଲୀରେ ଆନ୍ଦୋଳନ ପାଇଁ ଚେତାବନୀ ଦେଉଛି । କଟକଣା ସତ୍ତ୍ୱେ ଜନ୍ତରମନ୍ତର ଭିତରେ ପଶି ଧାରା ୧୬୩ର ଉଲ୍ଲଂଘନ ମାମଲାରେ ସିଜେପି ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ବୁଧବାର ପାଞ୍ଚ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଯାଇଛି ।
ଆମେରିକୀୟ କଣ୍ଠଶିଳ୍ପୀ କହିଛନ୍ତି, ଭାରତର ସମସ୍ତ ଯୁବ ଦେଶଭକ୍ତଙ୍କ ପାଇଁ । ଏହି ସମୟ ଚୁପ୍ ରହିବାର ନୁହେଁ । ଅଭିଜିତ୍ ଦୀପକେ ଏବଂ କକ୍ରୋଚ ଜନତା ପାର୍ଟିକୁ ଆମେରିକାର ପୁଞ୍ଜିପତି ପାଣ୍ଠି ଯୋଗାଉଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଛନ୍ତି ।ସେ ଜୋର ଦେଇ ଲେଖିଛନ୍ତି, କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତି ଦୁନିଆରେ କଞ୍ଜରଭେଟିବ୍ ନେତାଙ୍କୁ ଟାର୍ଗେଟ୍ କରିବା ପାଇଁ ସେହି ଦେଶର ଏପରି କିଛି ଯୁବକଙ୍କୁ ଖୋଜନ୍ତି ଯେଉଁମାନେ ଆମେରିକାରେ ପଢ଼ିଥିବେ । ସେମାନଙ୍କୁ କଟ୍ଟର କରିବା, ନିଜ ଦେଶକୁ ପଠାଇବା ଏବଂ ଅରାଜକତା ପାଇଁ ପାଣ୍ଠି ଦେବା ଏକ ପ୍ୟାଟର୍ଣ୍ଣ ପଲଟାଛି । ଏ ପର୍ଯ୍ୟନ୍ତ ଏଥିରେ କେହି ବି ସଫଳ ହୋଇନାହିଁ କିନ୍ତୁ ଦେଶର ବିକାଶ ଏବଂ ଶାସନ ଉପରେ ପ୍ରଭାବ ପକାଇଥାଏ ।