କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି, ବିକ୍ରି ହେବ ଏହି ବ୍ୟାଙ୍କ

IDBI ବ୍ୟାଙ୍କର ରଣନୈତିକ ବିନିବେଶ ପ୍ରକ୍ରିୟାକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍‌ । ଏହି ନିଷ୍ପତ୍ତି ଅନୁଯାୟୀ, କେନ୍ଦ୍ର ସରକାର ଓ ଭାରତୀୟ ଜୀବନ ବୀମା ନିଗମ (LIC) ମିଳିତ ଭାବେ IDBI ବ୍ୟାଙ୍କର ୬୦.୭୨ ପ୍ରତିଶତ ଅଂଶଧନ କାନାଡାର ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ୍‌ ହୋଲ୍ଡିଂସ୍‌କୁ ୫୨,୮୭୭ କୋଟି ଟଙ୍କାରେ ବିକ୍ରି କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି (CCEA) ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଚୁକ୍ତିରେ କେନ୍ଦ୍ର ସରକାରଙ୍କ ୩୦.୪୮ ପ୍ରତିଶତ ଏବଂ ଭାରତୀୟ ଜୀବନ ବୀମା ନିଗମ (LIC)ର ୩୦.୨୪ ପ୍ରତିଶତ ଅଂଶଧନ ବିକ୍ରି କରାଯିବ।ସରକାର ଓ LIC ପାଖରେ ରହିବ ୩୪% ଅଂଶଧନ ଏହି ବିକ୍ରି ପରେ ମଧ୍ୟ ଆଇଡିବିଆଇ ବ୍ୟାଙ୍କରେ ସରକାର ଓ ଏଲଆଇସିର ଅଂଶଧନ ରହିବ।କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କହିବା ଅନୁସାରେ, ଏହି ଚୁକ୍ତି ସମ୍ପୂର୍ଣ୍ଣ ହେଲେ ଏହା ଭାରତର ଆର୍ଥିକ କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ମଧ୍ୟରୁ ଗୋଟିଏ ହେବ।ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି ପାଇଁ ୨୦୨୨ରେ ପ୍ରଥମେ ଘୋଷଣା କରାଯାଇଥିଲା। ତେବେ ନିୟାମକୀୟ ଅନୁମୋଦନ ଏବଂ ବିଭିନ୍ନ ପ୍ରକ୍ରିୟାଗତ ବାଧା ଯୋଗୁଁ ଏଥିରେ ବିଳମ୍ବ ହୋଇଥିଲା। ସରକାରଙ୍କ ଆଶା ଅନୁଯାୟୀ ବିଡ୍ ନ ମିଳିବାରୁ ମାର୍ଚ୍ଚରେ ଏହି ପ୍ରକ୍ରିୟାକୁ ଅଟକାଯାଇଥିଲା। ଏବେ କ୍ୟାବିନେଟ୍‌ର ମଞ୍ଜୁରୀ ପରେ ଏହି କାରବାର ଆଗକୁ ବଢ଼ିବ।