ଅସ୍ଥାୟୀ ବନ କର୍ମଚାରୀ ଙ୍କୁ ମିଳିନି ୩ ମାସର ଦରମା ଦରମା ନ ମିଳିଲେ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ
ଗଣିଆ (ବିଶ୍ୱରଂଜନ ସେଠି )ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ର ଅସ୍ଥାୟୀ ବନକର୍ମଚାରି (ୱାଚର )ମାନଙ୍କୁ ୩ ମାସର ପାରିଶ୍ରମିକ ଦରମା ମିଳିନଥିବା ଅଭିଯୋଗ ହୋଇଛି। ଏ ନେଇ ଅସ୍ଥାୟୀ ବନକର୍ମଚାରି ମାନେ ବୁଧବାର ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଗଷ୍ଟ ମାସ ୧୦ ସୁଦ୍ଧା ସେମାନଙ୍କୁ ଦରମା ନ ମିଳିଲେ ଅଗଷ୍ଟ ୧୧ତାରଖ ଠାରୁ କାର୍ଯ୍ୟରୁ ନିବୃତ ରହି ଆନ୍ଦୋଳନ କରିବେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ସୂଚନା ଯୋଗ୍ୟ, ଛାମୁଣ୍ଡିଆ ବନାଞ୍ଚଳର ୧୧ବିଟ ଅଂଚଳରେ ପାଖାପାଖି ଦୁଇଶହ ଅସ୍ଥାୟୀ ବନକର୍ମଚାରି କାର୍ଯ୍ୟ କରୁଛନ୍ତି। ସେମାନେ ନିଜ ଜୀବନକୁ ବାଜି ଲଗାଇ ବନ ଓ ବନ୍ୟଜନ୍ତୁ ଙ୍କ ସୁରକ୍ଷା କରି ଆସୁଛନ୍ତି। କେତେବେଳେ ବନ୍ୟଜନ୍ତୁ ଙ୍କ ଆକ୍ରମଣ ର ଶିକାର ହେଲେଣି ତ ଆଉ କେତେବେଳେ ଜଙ୍ଗଲ ମାଫିଆ ମାନଙ୍କ ଆକ୍ରମଣ ର ସନମୁଖୀନ ହେବାକୁ ପଡୁଛି। ଅନ୍ୟପକ୍ଷେ ମାସମାସ ଧରି ପାରିଶ୍ରମିକ ନ ମିଳିବାରୁ ଦୋକାନୀମାନେ ଜିନିଷପତ୍ର ବାକିରେ ଦେଉନଥିବା କହିଛନ୍ତି।

ସେହିପରି ପିଲାମାନଙ୍କ ପଢାପଢି ଓ ଘରର ଅନ୍ୟାନ୍ୟ ଖର୍ଚରେ ବହୁ ଅସୁବିଧାର ସନମୁଖୀନ ହେଉଛନ୍ତି। ଏହି ଅସ୍ଥାୟୀ ବନ କର୍ମଚାରୀ ମାନେ ଯଦି କାର୍ଯ୍ୟରୁ ନିବୃତ ରହି ଆନ୍ଦୋଳନ କୁ ଓହ୍ଲାଇବେ ତେବେ ବନ ଓ ବନ୍ୟଜନ୍ତୁ ଙ୍କ ସୁରକ୍ଷା କିପରି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଭୁତିଆ କୁହନ୍ତି ପୁରୁଣା ସର୍ଭିସ ପ୍ରୋଭାଇଡର ବଦଳି ଯିବାରୁ ଏହି ସମସ୍ୟା ହୋଇଛି। ନୂଆ ସର୍ଭିସ ପ୍ରୋଭାଇଡର ଦିନେ ଦୁଇଦିନ ମଧ୍ୟରେ ଜୁଲାଇ ମାସର ଦରମା ଦେଇଦେବ। ମେ, ଜୁନ ମାସର ଦରମା ଟଙ୍କା ଡି ଏଫ ଓ ଙ୍କ ପାଖକୁ ଆସିନାହିଁ। ଆସିଲେ ତୁମ ମାନଙ୍କୁ ମିଳିଯିବ।