ରାଜଧାନୀର ୫ଟି ଜାଗାରେ ୪୫ ଦିନ ପାଇଁ କମିଶନରେଟ ପୋଲିସର କଟକଣା

ରାଜଧାନୀରେ ଟ୍ରାଫିକ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି । ଜୟଦେବ ବିହାରରୁ ନନ୍ଦନକାନନ ଯାଏ ହେବ ଓଭରବ୍ରିଜ୍ । ସେଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ମାଟି ପରୀକ୍ଷଣ ହୋଇଛି ।ରାଜଧାନୀର ୫ଟି ଜାଗାରେ ୪୫ ଦିନ ପାଇଁ କମିଶନରେଟ ପୋଲିସର କଟକଣା।ଆଜି କଳିଙ୍ଗ ହସ୍ପିଟାଲ ଛକର ୨ଟି ସ୍ଥାନରେ ଆରମ୍ଭ ହୋଇଛି କାମ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଟ୍ରାଫିକ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି।  ଆଗାମୀ ଦେଢ଼ ମାସ ଧରି ଏହି ବ୍ୟସ୍ତବହୁଳ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। ଆସନ୍ତାକାଲିଠାରୁ ମାଟି ପରୀକ୍ଷା କାମ ଆହୁରି ତ୍ୱରାନ୍ୱିତ ହେବ। ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଏହା ଜାରି ରହିବ। କଳିଙ୍ଗ ଷ୍ଟାଡିୟମର ୭ ଓ ୮ ନମ୍ବର ଗେଟ୍, ପାଲ୍ ହାଇଟ୍ସ ଛକ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଏବଂ କିଟ୍ ଛକ ସହ ୧୮୦ ସ୍ଥାନରେ ପରୀକ୍ଷା ହେବ। ଏହି ସମୟରେ ରାସ୍ତାର କିଛି ଅଂଶ ଅସ୍ଥାୟୀ ଭାବରେ ଅବରୋଧ କରାଯିବ। ଫଳରେ ଟ୍ରାଫିକ ସ୍ଲୋ ହେବା ସହ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ବିଶେଷ କରି ବେହେରା ସାହି ଛକରୁ କିଟ୍ ଛକ ମଧ୍ୟରେ ଗହଳି ହେବ। ରାସ୍ତା ସମ୍ପ୍ରସାରଣ ଓ ଓଭରବ୍ରିଜ ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ବ୍ୟବସାୟୀ ସ୍ବାଗତ କରିଥିବା ବେଳେ ଆମ ପ୍ରତି ସରକାର ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି । ୨୦୨୯ ସୁଦ୍ଧା ବ୍ରିଜ୍ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।