ଆଉ ନାହାନ୍ତି ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ ଦୀପକ ସାମନ୍ତରାୟ
ଓଡ଼ିଶାର ଗଣମାଧ୍ୟମ ଓ ସାହିତ୍ୟ ଜଗତରେ ଶୋକର ଛାୟା। ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ, କବି, ଲେଖକ ତଥା ଶିକ୍ଷାବିତ୍ ଡ. ଦୀପକ ସାମନ୍ତରାୟଙ୍କ ପରଲୋକ ଘଟିଛି। ୬୯ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। କଟକ ରୋଭର୍ସ ଷ୍ଟ୍ରିଟ ସ୍ଥିତ ବାସ ଭବନରେ ତାଙ୍କର ପରଲୋକ ଘଟିଛି। ଆକାଶବାଣୀ ଓ ଦୂରଦର୍ଶନ ସହ ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ଜଡ଼ିତ ରହି ସେ ଗଣମାଧ୍ୟମ ଓ ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଦେଇଥିଲେ। ଡ. ଦୀପକ ସାମନ୍ତରାୟ ଆକାଶବାଣୀ ଓ ଦୂରଦର୍ଶନର NABMର ପୂର୍ବତନ ନିର୍ଦ୍ଦେଶକ ଥିଲେ। ୧୯୮୭ରୁ ବିଭିନ୍ନ ରେଡିଓ କାର୍ଯ୍ୟକ୍ରମ, ନାଟକ, ସାକ୍ଷାତକାର ଓ ଧାରାବାହିକ ପ୍ରସ୍ତୁତି ଓ ଉପସ୍ଥାପନା କରିଥିଲେ। ସେ ଅଲ୍ ଇଣ୍ଡିଆ ରେଡିଓରେ ରେଡିଓ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ଅଲ୍ ଇଣ୍ଡିଆ ରେଡିଓ ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ। ଏହ ସହ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ପାଠ ପଢ଼ାଉଥିଲେ। ଅବସର ପରେ କଟକ ହେରିଟେଜ ଓ୍ବାକ୍ ସଂଗଠନର ସଂଯୋଜକ ଭାବେ ଦାୟିତ୍ୱ ତୁଲାଉଥିଲେ।
ଡ. ଦୀପକ ସାମନ୍ତରାୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଓ ଏଲ୍ଏଲବି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ। ‘ଛାଇ ଆଲୁଅର ପଶାଖେଳ’, ‘କଣ୍ଟାଲେଖା’, ‘ଶୋଷ’ ଓ ‘ସେଭେନ୍ ହର୍ସେସ୍’ ଭଳି କବିତା ପୁସ୍ତକ ସହ ‘ଆଜିର ଅନୁଚିନ୍ତା’ ଓ ‘ଶାନ୍ତ ମନ ସୁସ୍ଥ ଜୀବନ’ ଭଳି ତାଙ୍କର ଗଦ୍ୟ ପୁସ୍ତକ ରଚନା ଆଜି ବି ଦର୍ଶକଙ୍କ ଗହଣରେ ଅମର। ଅଙ୍ଗନବାଡ଼ି ପିଲାଙ୍କ ପାଇଁ ୧୫୬ ଅଧ୍ୟାୟ ବିଶିଷ୍ଟ ‘କାଳିକା’, ସମାଜ ସଂସ୍କାରକଙ୍କ ଉପରେ ‘ଦଧ୍ୟତା ଭକ୍ତି’ ଏବଂ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଉପରେ ‘ମୁକ୍ତିରତ୍ନୁର୍ଯ୍ୟାନନ୍ଦ’ ଭଳି କାର୍ଯ୍ୟକ୍ରମ ସୃଷ୍ଟି କରିଥିଲେ