ଇରାନର କେଶମ ଦ୍ୱୀପ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ !ସେପଟେ ଯୁଦ୍ଧ ସମ୍ଭାବନାକୁ ଖାରଜ କଲେ ଟ୍ରମ୍ପ

ଇରାନର କେଶମ ଦ୍ୱୀପ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ସେପଟେ ଯୁଦ୍ଧ ସମ୍ଭାବନାକୁ ଖାରଜ କଲେ ଟ୍ରମ୍ପ । ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ଆମେରିକା ପକ୍ଷରୁ ଇରାନର ରଣନୈତିକ କେଶମ ଦ୍ୱୀପ ଉପରେ ସାମରିକ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଦୁଇ ଦିନ ତଳେ ୟୁଏସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ଧମକ ଦେଇଥିଲେ । ତେହେରାନର ଆଉ କିଛି ଜାଗା ଏବେ ଆମେରିକାର ଟାର୍ଗେଟରେ ଥିବା ସେ କହିଥିଲେ । ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ ଅନୁସାରେ, ଆମେରିକୀୟ ସେନା ବାହିନୀ ଗତ କିଛି ସପ୍ତାହ ଧରି ଇରାନୀୟ ସାମରିକ ଠିକଣାଗୁଡ଼ିକ ଉପରେ ଚଳାଇଥିବା ସୀମିତ ତଥା ଗୋପନୀୟ ଆକ୍ରମଣର ଏହା ଏକ ଅଂଶ ।

​ଇରାନର ସରକାରୀ ସମ୍ବାଦ ସଂସ୍ଥା ‘ଇରନା’ ଏବଂ ପ୍ରେସ୍ ଟିଭିର ରିପୋର୍ଟ ମୁତାବକ, ମଙ୍ଗଳବାର ଭୋରରୁ ଦକ୍ଷିଣ ଇରାନର କେଶମ ଦ୍ୱୀପ ସମେତ ଉପକୂଳବର୍ତ୍ତୀ ସହର ବନ୍ଦର ଲେଙ୍ଗେହରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଘଟଣା ପରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଦାବି କରିଛି ଯେ ସେମାନେ ଇଲେକ୍ଟ୍ରୋନିକ୍ ଯୁଦ୍ଧ କୌଶଳ ବ୍ୟବହାର କରି କେଶମ ଦ୍ୱୀପର ଦକ୍ଷିଣ ଭାଗରେ ଉଡ଼ୁଥିବା ଆମେରିକାର ଦୁଇଟି ‘MQM-170’ ଗୁଇନ୍ଦା ଡ୍ରୋନକୁ ଖସାଇ ଦେଇଛନ୍ତି । ​ଆମେରିକୀୟ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ଏହି ଆକ୍ରମଣ କୌଣସି ବ୍ୟାପକ ଯୁଦ୍ଧ ଆରମ୍ଭ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଏକ ପ୍ରତିରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ।