ଆଜିଠୁ ବିଧାନସଭାର ଶୀତ ଅଧିବେଶନ: ପ୍ରଥମ ଦିନରୁ ସରକାରଙ୍କୁ ଘେରିବେ ବିରୋଧୀ
ଆଜିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରୁ ହିଁ ଗୃହ ସରଗରମ ହୋଇପାରେ।ବନ୍ୟା ପରିଚାଳନାରେ ରାଜ୍ୟ ସରକାର ବିଫଳ ହେଲେ ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ସେହିପରି କୋଟିଆ ପ୍ରସଙ୍ଗ ଓ ଏମଏମଡିଆର୍ ପ୍ରସଙ୍ଗରେ ବିରୋଧୀ ଘେରିବେ ସରକାରଙ୍କୁ।ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଓ ସବୁ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ବୋଲି ବିଜେପି ପକ୍ଷରୁ କୁହାଯାଇଛି।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଗଞ୍ଜାମର ମନୁଷ୍ୟକୃତ ବନ୍ୟା ଓଡ଼ିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି। ଗଞ୍ଜାମ ବିପର୍ଯୟ ରାଜ୍ୟ ସରକାରଙ୍କ ଅପାରଗତାର ଉଦାହରଣ। ଏବେ ବି ରିଲିଫ ସହାୟତା ପାଇବାରେ ଲୋକେ ହଇରାଣ ହେଉଛନ୍ତି। ଗଞ୍ଜାମର ବନ୍ୟା କ୍ଷୟକ୍ଷତି ତାଙ୍କୁ ବ୍ୟଥିତ କରିଛି। ରାଜନୈତିକ ବାଛ ବିଚାରରେ ରିଲିଫ ବଣ୍ଟନକୁ ସେ ନିନ୍ଦା କରିଛନ୍ତି।ସେହିପରି ଏମଏମଡିଆର୍ ସଂଶୋଧନ ଦ୍ଵାରା ଓଡ଼ିଶାର ବିପୁଳ କ୍ଷତି ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହି କଳା ଆଇନକୁ ବିଜେଡି ବିରୋଧ ଜାରି ରହିବ। ଆନ୍ଧ୍ର ଓ ଓଡ଼ିଶାରେ ବିଜେପି ସରକାର ଥିବା ବେଳେ କୋଟିଆ ପ୍ରସଙ୍ଗକୁ ନେଇ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଘଟଣାକୁ ଜଟିଳ କରି ଦେଉଛି। ଓଡିଶାର ଅଖଣ୍ଡତାର ସୁରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ। ବିଜେପି ସରକାର ଦାୟିତ୍ଵ ନେବା ଠାରୁ ରାଜ୍ୟରେ ଚାଷ ଓ ଚାଷୀ ଉଭୟ ଅବହେଳିତ। ମଣ୍ଡି ଠିକ୍ ସମୟରେ ଖୋଲୁନି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଭାରତ ଖାଦ୍ୟ ନିଗମ (ଏଫସିଆଇ) ଓଡ଼ିଶାରୁ ଧାନ ଉଠାଉ ନାହିଁ । ଏ ସବୁ ସମସ୍ୟା ଦ୍ଵାରା ଚାଷୀ ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଛି।୨୦୨୬- ୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଶ୍ନକାଳରେ କୃଷି କୃଷକ ସଶକ୍ତିକରଣ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସମବାୟ, ଶକ୍ତି, ବୟନ ଶିଳ୍ପ , ହସ୍ତତନ୍ତ ଓ ହସ୍ତଶିଳ୍ପ , ଏମ୍ଏସ୍ଏମ୍ଇ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।ଶୀତ ଅଧିବେଶନ ପୂର୍ବରୁ ବିଜେଡି ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ କରି ରଣନୀତି ଚୂଡାନ୍ତ କରିଛନ୍ତି। ଶୀତ ଅଧିବେଶନ ରେ ମୋଟ ୩୩ଟି କାର୍ଯ୍ୟଦିବସ ଥିବାରୁ ଲମ୍ବା ସମୟର ଅଧିବେଶନ ବେଶ ଉଷ୍ମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।