୨୪,୧୫୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆସିଛି ଅତିରିକ୍ତ ବଜେଟ୍। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ଅତିରିକ୍ତ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ ସହ ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦେଇ ଅଧିକ ପାଣ୍ଠି ବରାଦ କରାଯାଇଛି। ଅତିରିକ୍ତ ବଜେଟ ମହିଳା ସଶକ୍ତିକରଣକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ମହିଳାଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ମୋଟ ୧,୨୪୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏଥିମଧ୍ୟରୁ ରାଜ୍ୟର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ‘ସୁଭଦ୍ରା’ ଯୋଜନା ଲାଗି ୫୫୦ କୋଟି ଟଙ୍କା ରଖାଯାଇଛି। ଏହାଦ୍ୱାରା ଯୋଜନାର ଆର୍ଥିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ସେହିପରି ଚାଷୀଙ୍କ ଆର୍ଥିକ ସହାୟତା ଓ କୃଷି କ୍ଷେତ୍ରର ବିକାଶ ପାଇଁ ‘ସମୃଦ୍ଧ କୃଷକ ଯୋଜନା’ରେ ୩୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ଲକ୍ଷ୍ୟରେ ‘ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା’ ପାଇଁ ୬୪୨ କୋଟି ଟଙ୍କା ରଖାଯାଇଛି।

ଅନ୍ୟପଟେ ବିଭିନ୍ନ ସରକାରୀ ବିଭାଗର ଅତିରିକ୍ତ ଖର୍ଚ୍ଚ ପାଇଁ ମଧ୍ୟ ବଡ଼ ଧରଣର ଅର୍ଥ ବ୍ୟବସ୍ଥା କରାଯାଇଛି। ସର୍ବାଧିକ ୮ ହଜାର ୩୮୯ କୋଟି ଟଙ୍କା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗକୁ ୪ ହଜାର ୯୯୯ କୋଟି ଟଙ୍କା ମିଳିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧,୩୯୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।