ବାତ୍ୟା ଓଡିଶା ମୁହାଁ ନେଇ ସ୍ପଷ୍ଟ – ଆଇଏମଡି ଡିଜି

ବାତ୍ୟା ‘ଅର୍ଣ୍ଣବ’ର କ୍ଷତ ଏଯାଏଁ ଭରିନି । ଗାଁରୁ ଘରଦ୍ୱାର ଯାଏଁ ବାତ୍ୟାର ଚିହ୍ନ ଲିଭିନଥିବା ବେଳେ ପୁଣି ଏକ ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ । ବାତ୍ୟା ଓଡ଼ିଶା ମୁହାଁ ନେଇ ସ୍ପଷ୍ଟ କଲେ IMD ଡିଜି। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା। ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି। ବିଶେଷକରି କଳିଙ୍ଗଟନମ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଆଉ ଅଧିକ ତୀବ୍ର ହେବାର କୌଣସି ସମ୍ଭାବନା ନାହିଁ। ୧୯, ୨୦ରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କିଛି ଜିଳ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ୨୦ ତାରିଖରେ ଲ୍ୟାଣ୍ଡଫଲ୍ ପରେ ଶୀଘ୍ର ଦୁର୍ବଳ ହୋଇପାରେ ।ବାତ୍ୟାର ପ୍ରଭାବରେ ଅସ୍ତରଙ୍ଗ ଉପକୂଳରେ ମଧ୍ୟ ପାଗରେ ପରିବର୍ତ୍ତନ ଦେଖାଦେଇଛି । ସମୁଦ୍ର ଅଶାନ୍ତ ହେବା ସହ ପବନର ବେଗ ବଢ଼ିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହୁଥିବାରୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସମୁଦ୍ରର ସ୍ଥିତି ଦେଖି ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ଯିବାରୁ ବାରଣ କରାଯାଇଛି ।

କେବଳ ବର୍ଷା ଓ ପବନ ନୁହେଁ, ସମୁଦ୍ର ଜୁଆରକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି । ଆଇଏମ୍‌ଡିର ମଧ୍ୟାହ୍ନ ବୁଲେଟିନ୍‌ ଅନୁସାରେ, ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରାୟ ୦.୫ରୁ ୧.୨ ମିଟର ଉଚ୍ଚତାର ଜଳସ୍ତର ବୃଦ୍ଧି ଯୋଗୁଁ ଜଳମଗ୍ନ ହେବାର ଆଶଙ୍କା ରହିଛି । ତେଣୁ ସମୁଦ୍ରକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ଅଧିକ ସତର୍କ ରହିଛି । ଏବେ ଗତ ବାତ୍ୟା ‘ଅର୍ଣ୍ଣବ’ରେ ଗଞ୍ଜାମର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ପୁଣି ଅକଭାନ୍‌କୁ ନେଇ ଆଶଙ୍କା ବଢ଼ିଛି । ଲଗାଣ ବର୍ଷା ପ୍ରଭାବରେ ପୁଣି ବନ୍ୟା ସ୍ଥିତି ଉପୁଜିବନି ତ ତାକୁ ନେଇ ଆଶା ଆଶଙ୍କାରେ ଲୋକେ । ଏପଟେ କିନ୍ତୁ ପୂର୍ବ ଭୁଲ୍ ନଦୋହରାଇବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ସରକାର । ପୂର୍ବ ଅନୁଭୂତିକୁ ଆଧାର କରି ଏଥର ଆଗୁଆ ସ୍ଥାନାନ୍ତର, ଆଶ୍ରୟସ୍ଥଳୀ ପ୍ରସ୍ତୁତି, ରିଲିଫ୍‌ ଓ ଉଦ୍ଧାର ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛି ପ୍ରଶାସନ। ବାତ୍ୟାର ଗତିପଥ ଉପରେ ନଜର ରହିଥିବା ବେଳେ ଉପକୂଳବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅପିଲ୍‌ କରାଯାଇଛି ।