ଆସନ୍ତା କାଲି ଠାରୁ ମାତ୍ର ୪୫ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଆସନ୍ତା କାଲି ଠାରୁ କାଉଣ୍ଟର ଟିକେଟ୍ରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା! ମାତ୍ର ୪୫ ପଇସା ପ୍ରିମିୟମ୍ରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିପାରିବ । ଏହି ପଦକ୍ଷେପ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଆଯାଇଛି।ଏହି ବୀମା ସୁବିଧା ପାଇବା ପାଇଁ ଯାତ୍ରୀଙ୍କୁ ଟିକେଟ୍ ବୁକିଂ ସମୟରେ ନିଜର ସମ୍ମତି ଦେବାକୁ ପଡ଼ିବ । ଏଥିସହ ଏକ ସକ୍ରିୟ ମୋବାଇଲ୍ ନମ୍ବର ଦେବା ଆବଶ୍ୟକ । ବୀମା ପ୍ରିମିୟମ୍ ଓ ଟିକେଟ୍ ଭଡ଼ାର ପେମେଣ୍ଟ୍ ଡିଜିଟାଲ୍ ମାଧ୍ୟମରେ କରିବାକୁ ହେବ। ଏଥିପାଇଁ UPI, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ଅନ୍ୟ ଉପଲବ୍ଧ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ବ୍ୟବହାର କରିହେବ । କାଉଣ୍ଟରରେ ସଂଶୋଧିତ ରିଜରଭେସନ ଫର୍ମ ମାଧ୍ୟମରେ ବୀମା ପାଇଁ ସମ୍ମତି ରେକର୍ଡ କରାଯିବ। ପଲିସି ସମ୍ପର୍କିତ ସୂଚନା ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ପଠାଯିବ।ନୂଆ ବ୍ୟବସ୍ଥା ପାଇଁ ରେଳବାଇ ରିଜର୍ଭେସନ୍ ଫର୍ମରେ ବୀମା ସମ୍ପର୍କିତ ଏକ ସ୍ୱତନ୍ତ୍ର ବିକଳ୍ପ ରଖିବାକୁ ଯୋଜନା କରିଛି। ଯାତ୍ରୀମାନେ ଫର୍ମ ପୂରଣ କରିବା ସମୟରେ ବୀମା ନେବାକୁ ଚାହୁଁଥିଲେ ସେହି ବିକଳ୍ପରେ ଟିକ୍ ଚିହ୍ନ ଦେବାକୁ ହେବ। ଏହା ସହ ଏକ ସକ୍ରିୟ ମୋବାଇଲ୍ ନମ୍ବର ଦେବା ମଧ୍ୟ ଆବଶ୍ୟକ ହେବ।ଦିଆଯାଇଥିବା ସୂଚନା ଅନୁସାରେ, ଟ୍ରେନ୍ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିପାରିବ। ସେହିପରି ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ମଧ୍ୟ ନିୟମ ଅନୁସାରେ ବୀମା ରାଶି ପ୍ରଦାନ କରାଯିବ। ଗୁରୁତର ଆଘାତ ଓ ଚିକିତ୍ସା ଖର୍ଚ୍ଚ ପାଇଁ ମଧ୍ୟ ନିର୍ଦ୍ଧାରିତ ରାଶି ମିଳିବାର ବ୍ୟବସ୍ଥା ରହିପାରେ।