ଓଡ଼ିଶାରେ ପ୍ରଥମ ! ବଜ୍ରପାତ ହେବା ପୂର୍ବରୁ ବାଜିବ ସାଇରନ୍

ବନ୍ୟା, ବାତ୍ୟା ଭଳି ମହାବିପତ୍ତିକୁ ସରକାର ଦୃଢ଼ତାର ସହ ମୁକାବିଲା କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଜିରୋ କାଜୁଆଲିଟି ମିଶନ ସାରା ବିଶ୍ୱ ପାଇଁ ମଡେଲ୍ । କିନ୍ତୁ, ବଜ୍ରପାତ ମୃତ୍ୟୁ ଏବେ ବି ରାଜ୍ୟ ପାଇଁ ସବୁଠାରୁ ବଡ଼ ଆହ୍ୱାନ । ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ୧୨୨ଟି ଟାୱାରକୁ ଆହୁରି ଅତ୍ୟାଧୁନିକ କରାଯିବ । ସେଥିମଧ୍ୟରୁ ୪୦ଟି ବଡ଼ ଟାୱାରରେ ସାଇରନ୍ ସିଷ୍ଟମ୍ ଲାଗିଥିବା ବେଳେ ଏବେ ସବୁ ଟାୱାରରେ କ୍ୟାମେରା ସହ ଅତ୍ୟାଧୁନିକ ସେନ୍ସର ଖଞ୍ଜାଯିବ । ଗୋଆ ଏବଂ କେରଳରୁ ଅଭିଜ୍ଞ ଅଧିକାରୀମାନେ ଆସି ଏହାର ସମୀକ୍ଷା କରିବା ସହ ଏକ ବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଡାଟା ଟ୍ରାନ୍ସଫର ଏବଂ ସୂଚନା ପ୍ରସାରଣ କ୍ଷେତ୍ରରେ ବଡ଼ ସଂସ୍କାର ଆସିବା ସହ ସେଟେଲାଇଟ୍ ମାଧ୍ୟମରେ ପବନର ଗତି ଏବଂ ବାତ୍ୟା ସମ୍ପର୍କିତ ଖବର ତୁରନ୍ତ ମିଳିପାରିବ । ଅନ୍ୟପଟେ  ଆଗାମୀଦିନରେ ଇଲେଟ୍ରିକ ଫିଲ୍ଡ ମିଟର ବ୍ୟବସ୍ଥା ଲଗାଯିବ । ଏଥିରେ ସାଇରନ ବାଜିବା ବ୍ୟବସ୍ଥା ରହିବ ।

ପାଣିପାଗ ବିଭାଗରୁ ବିଜୁଳି, ଘଡ଼ଘଡ଼ି, ବର୍ଷା, ପବନ, କାଳବୈଶାଖୀ ନେଇ ସତର୍କ ସୂଚନା ଆସିବା ମାତ୍ରେ ଏହି ମେସିନରୁ ଆପେ ସାଇରନ ବାଜିବ । ଏହା ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ସତର୍କ କରାଇବ । ଦେଢ଼ କିଲୋମିଟରରୁ ୫ କିମି ପର୍ଯ୍ୟନ୍ତ ଦୂରକୁ ଶୁଭିଲା ଭଳି ସାଇରନ କାର୍ଯ୍ୟ କରିବ । ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃ ର୍ପକ୍ଷ (ଏନଡିଏମ୍ଏ) ଓ ରାଜ୍ୟ ସରକାର ମିଳିତ ଭାବେ ଏ ଦିଗରେ କାମ କରୁଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେଉଛି । ସମସ୍ତ ପଞ୍ଚାୟତରେ ଏଭଳି ବ୍ୟବସ୍ଥା କରିବାକୁ ଯୋଜନା ଅଛି । ମାତ୍ର ଏହା ବ୍ୟୟବହୁଳ ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହେବ । ବଜ୍ରପାତ ପ୍ରବଣ ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର ଏବଂ କଟକ ଜିଲ୍ଲାରେ ଏହି ସାଇରନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯିବ ।