ବିନା ଦୋଷରେ ଜେଲରେ କଟିଲା 22 ବର୍ଷ

ବିନା ଦୋଷରେ ଜେଲରେ କଟିଲା 22 ବର୍ଷ । କେବଳ ସନ୍ଦେହ ଆଧାରରେ, ବିନା କୌଣସି ବିଶ୍ବସନୀୟ ପ୍ରମାଣରେ ଜେଲରେ 22 ବର୍ଷ କାଟିଥିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାର ଏହି ସାମୂହିକ ବିଫଳତା ଉପରେ ପ୍ରଶ୍ନ ଉଠାଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରାଏଲ୍ କୋର୍ଟ ପ୍ରମାଣର ସଠିକ୍ ମୂଲ୍ୟାଙ୍କନ କରିବାରେ ବିଫଳ ହୋଇଛି ଏବଂ ହାଇକୋର୍ଟ ନୀରବ ଦର୍ଶକ ହୋଇଛି। ଫଳସ୍ୱରୂପ, ଦୋଷୀ ୨୨ ବର୍ଷ ଜେଲରେ ବିତାଇଛନ୍ତି ଏବଂ କେବଳ ସନ୍ଦେହ ଉପରେ ଏକ ସ୍ୱୀକାରୋକ୍ତି ଆଣିବା ପାଇଁ ହାଜତରେ ଥାର୍ଡ-ଡିଗ୍ରୀ ନିର୍ଯାତନା ଭୋଗ କରିଛନ୍ତି।ଗତ 2004ରେ ନବରଙ୍ଗପୁର ଘଟିଥିବା ଏକ ଟ୍ରିପଲ ମର୍ଡର ଘଟଣାରେ ଅର୍ଜୁନ ଜାନିଙ୍କୁ ଗିରଫ କରିଥିଲା ପୋଲିସ । ଦୁଇ ବର୍ଷ ମାମଲା ଚାଲିବା ପରେ ୨୦୦୬ରେ ଅର୍ଜୁନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁଣାଇଥିଲେ ତଳକୋର୍ଟ ।ହେଲେ ସୁପ୍ରିମକୋର୍ଟ ଅର୍ଜୁନଙ୍କୁ ଦୋଷମୁକ୍ତ କରି କହିଛନ୍ତି, ତାଙ୍କ ବିରୋଧରେ ଥିବା ପ୍ରମାଣଗୁଡ଼ିକ ଦୁର୍ବଳ ଏବଂ ଭରସାଯୋଗ୍ୟ ନୁହେଁ । କୌଣସି ବିଶ୍ୱସନୀୟ ପ୍ରମାଣ ନଥାଇ ଜଣେ ବ୍ୟକ୍ତିଙ୍କ ଜୀବନର ୨୨ ବର୍ଷ ଛଡ଼ାଇନିଆଗଲା । ଜଣଙ୍କୁ କେବଳ ସନ୍ଦେହ କରି ଗିରଫ କରିବା, ଥାର୍ଡ-ଡିଗ୍ରି ନିର୍ଯାତନା ଦେଇ ଦୋଷ ସ୍ୱୀକାର କରାଇବା ଏବଂ ତା ଆଧାରରେ ଦୋଷୀ ସାବ୍ୟସ୍ତ କରିବା ନ୍ୟାୟ ନୀତିର ପରିପନ୍ଥୀ । କଡ଼ା ଭାଷାରେ ଏହା ଉଲ୍ଲେଖ କରିଛନ୍ତି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ।