ପଙ୍ଖାରେ ଶୁଖାଯାଉଛି କାନପୁର-ଲକ୍ଷ୍ନୌ ଏକ୍ସପ୍ରେସୱେ! ଭାଇରାଲ ଭିଡିଓକୁ ନେଇ ତେଜିଲା ରାଜନୀତି
ଉତ୍ତରପ୍ରଦେଶର ନୂଆ ଲକ୍ଷ୍ନୌ-କାନପୁର ଏକ୍ସପ୍ରେସୱେକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ୍ସପ୍ରେସୱେର ରାସ୍ତାକୁ ବଡ଼ ବଡ଼ ପଙ୍ଖା ଲଗାଇ ଶୁଖାଇବାର ଦୃଶ୍ୟ ଦେଖିବାକୁ ମିଳୁଛି ।ଏକ୍ସପ୍ରେସୱେର ଏକ ଅଂଶ ପ୍ରବଳ ବର୍ଷା ପରେ ଧସିଯିବାରୁ ମରାମତି କାମ ଜାରି ରହିଛି। ରାସ୍ତା ତଳର ମାଟିର ଆର୍ଦ୍ରତା କମାଇବା ପାଇଁ ସେଠାରେ ହାଇ ପାୱାର ଇଲେକ୍ଟ୍ରିକ୍ ପଙ୍ଖା ଲଗାଯାଇଛି।ଘଟଣାସ୍ଥଳର ଦୃଶ୍ୟରେ କ୍ଷତିଗ୍ରସ୍ତ ରାସ୍ତା ଉପରେ ବଡ଼ ବଡ଼ ଫ୍ୟାନ୍ ଚାଲୁଥିବା ଦେଖାଯାଇଛି। ମାଟି ଶୁଖିବା ପରେ ହିଁ ନୂଆ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା ଏନଏଚଏଆଇ ଅନୁସାରେ, ଲଗାତାର ବର୍ଷା ଯୋଗୁଁ ରାସ୍ତା ତଳର ସ୍ତରରେ ପାଣି ପଶିଥିଲା। ଏହା ଫଳରେ ମାଟି ଦୁର୍ବଳ ହୋଇ ରାସ୍ତାର ଏକ ଅଂଶ ଧସିଯାଇଥିଲା।ରାସ୍ତା ଧସିବା ପରେ କାନପୁର ଓ ଲକ୍ଷ୍ନୌ ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ଏବେ ଉଭୟ ଦିଗର ଯାନବାହନକୁ ଗୋଟିଏ ସର୍ଭିସ ରୋଡ଼ ଦେଇ ଚଳାଚଳ କରାଯାଉଛି। ତେବେ ମରାମତି ଯନ୍ତ୍ରପାତି ଓ ଚାଲୁଥିବା ଟ୍ରାଫିକ୍ ଏକାସାଙ୍ଗେ ରହିବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।ଯଦିଓ ଭାଇରାଲ ଭିଡିଓରେ ପଙ୍ଖା ବ୍ୟବହାରର ପ୍ରକୃତ କାରଣ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିସ୍ତୃତ ସ୍ପଷ୍ଟୀକରଣ ଆସିନାହିଁ, ତଥାପି ଏହି ଘଟଣାକୁ ନେଇ ରାଜନୈତିକ ତର୍କ ଜୋର ଧରିଛି । ଏକ୍ସପ୍ରେସୱେର ଗୁଣବତ୍ତା, ନିର୍ମାଣ ପ୍ରକ୍ରିୟା ଓ ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବାରେ ବ୍ୟସ୍ତ ଥିବା ବେଳେ, ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଉପରେ ରହିଛି ।