କକରୋଚ୍ ଜନତା ପାର୍ଟି (CJP)ର ପ୍ରବକ୍ତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ନେଇ କଡ଼ା ଟିପ୍ପଣୀ କଲେ ଦିଲ୍ଲୀ ହାଇକୋର୍ଟ
କକରୋଚ୍ ଜନତା ପାର୍ଟି (CJP)ର ପ୍ରବକ୍ତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ନ୍ୟାୟିକ ହାଜତ ବିରୋଧରେ ଦାଖଲ ଯାଚିକାର ଶୁଣାଣି ବେଳେ କୋର୍ଟ କହିଛନ୍ତି, “ଆପଣମାନେ ଜେନ୍-ଜି ନୁହନ୍ତି।” ଶୁଣାଣି ସମୟରେ ଉଭୟଙ୍କ ବୟସ ପଚାରିଥିଲେ ବିଚାରପତି ସୁବ୍ରମଣ୍ୟମ ପ୍ରସାଦ । ଏହାର ଉତ୍ତରରେ ଓକିଲ କହିଥିଲେ ଯେ ଆଶୁତୋଷଙ୍କ ବୟସ ୩୧ ବର୍ଷ ଏବଂ ସୌରଭଙ୍କ ବୟସ ୨୭ ବର୍ଷ।ଅଦାଲତ ଉଭୟଙ୍କୁ ଜେନ ଜି ନୁହେଁ ବୋଲି କହିଛନ୍ତି।ସ୍ଵତନ୍ତ୍ର ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି ଯେ ଆପଣମାନେ କୌଣସି ‘ଜେନ୍-ଜି’ (Gen Z) ପିଢ଼ିର ପିଲା ନୁହନ୍ତି ଯେ ଯେତେବେଳେ ଯାହା ଇଚ୍ଛା କରିବେ ଏବଂ ସିଧାସଳଖ ଉପର କୋର୍ଟକୁ ଚାଲିଆସିବେ। ଆଇନଗତ ବ୍ୟବସ୍ଥା ଅନୁଯାୟୀ ପ୍ରଥମେ ସ୍ପେଶାଲ୍ ଏଗ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟର କାର୍ଯ୍ୟଧାରାକୁ ସମ୍ମାନ ଦେଇ ସେଠାରେ ଅପେକ୍ଷା କରିବା ଉଚିତ୍ ଥିଲା ବୋଲି ଅଦାଲତ ମତ ଦେଇଛନ୍ତି।ଶୁଣାଣି ସମୟରେ ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଉଭୟଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ, “ଆପଣମାନେ ଦୁଇଥର ବଣ୍ଡ ଭାଙ୍ଗିଛନ୍ତି। ପୋଲିସ ପାଇଁ ଶାନ୍ତି ବଜାୟ ରଖିବା ଜରୁରୀ। ଏଭଳି ପରିସ୍ଥିତିରେ ପୋଲିସ ଆପଣଙ୍କ ପ୍ରତି କୋହଳ ମନୋଭାବ ଦେଖାଇବ ବୋଲି କାହିଁକି ଆଶା କରୁଛନ୍ତି?” ଏହାସହ କୋର୍ଟ ପ୍ରଶ୍ନ କରିଥିଲେ ଯେ ସେମାନଙ୍କ ସଂଗଠନ କ’ଣ ଏବଂ ଏହାର ଉଦ୍ଦେଶ୍ୟ କ’ଣ? ଜୁଲାଇରେ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଦର୍ଶନ କରୁଥିଲେ, ଏବେ ଅନ୍ୟ ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି । ଆଗକୁ ଆଉ ଏକ ପ୍ରସଙ୍ଗରେ ପ୍ରଦର୍ଶନ କରିପାର ନ୍ତି। ତେଣୁ ସଂଗଠନର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି କୋର୍ଟ କହିଥିଲେ।ଜନ୍ତର ମନ୍ତର ମାମଲା ସଂପ୍ରତି ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏହା ଉପରେ ରହିତାଦେଶ ବି ଲାଗିନି। ତଥାପି ଆପଣ ସେଠାକୁ ଯାଉଛନ୍ତି, ବ୍ୟାରିକେଟ୍ ଡେଉଛନ୍ତି। କାହିଁକି ଆପଣଙ୍କ ସେଠାକୁ ଯିବାର ପ୍ରୟୋଜନ ଥିଲା। ଯଦି ଆପଣ ଏମିତି ନିୟମ ଉଲ୍ଲଂଘନ କରିବେ ତେବେ ୧୦-୨୦ ଜଣ ଲୋକ ସେଠାକୁ ଯାଇ ଧାରା ୧୬୪ ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି।ଏହି ମାମଲାରେ ଶୁଣାଣି କରି କୋର୍ଟ କେବଳ ନିୟମଗତ ତ୍ରୁଟି ଦର୍ଶାଇ ନାହାନ୍ତି, ବରଂ ବିଦେଶୀ ରାଷ୍ଟ୍ରମାନଙ୍କରେ ଚାଲିଥିବା ଅଶାନ୍ତି ଏବଂ ଆଜିର ସାମାଜିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାନ୍ତି ବଣ୍ଡର ଉଲ୍ଲଂଘନ ନେଇ ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି।