ଭାରତ-ଆମେରିକା ମଧ୍ୟରେ ହେବ ବଡ଼ ଡିଲ୍: ଟ୍ରମ୍ପ
ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇଥିବା କହିଛନ୍ତି। ଭାରତ ଗସ୍ତରେ ଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ବର୍ତ୍ତମାନ ଆଲୋଚନା କେବଳ କିଛି ବୈଷୟିକ ଦିଗ ଓ ଭାଷାଗତ ସହମତି ଉପରେ କେନ୍ଦ୍ରିଭୂତ ଅଛି । ଚୁକ୍ତିର ପ୍ରତ୍ୟେକ ସର୍ତ୍ତର ଅର୍ଥ ଉଭୟ ଦେଶ ପାଇଁ ସମାନ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି । ମାସ ମାସ ଧରି ଚାଲିଥିବା ଆଲୋଚନା ଏବେ ଅନ୍ତିମ ପର୍ଯ୍ୟାୟରେ ଥିବାରୁ କିଛି ସପ୍ତାହ ଭାତରେ ଏହା ଘୋଷଣା ହୋଇପାରେ ।ଭାରତକୁ ଅନ୍ୟ ଦେଶ ତୁଳନାରେ ଅଧିକ ଅନୁକୂଳ ଟାରିଫ ଦର ମିଳିବ କି ନାହିଁ, ଏନେଇ ପ୍ରଶ୍ନର ଉତ୍ତରରେ ରୁବିଓ କହିଛନ୍ତି, ଯେକୌଣସି ବାଣିଜ୍ୟ ଚୁକ୍ତିର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ବ୍ୟବସ୍ଥା ତୁଳନାରେ ଉନ୍ନତ ସର୍ତ୍ତ ହାସଲ କରିବା। ତେବେ ଭାରତ ପାଇଁ କେତେ ପ୍ରତିଶତ ଟାରିଫ ଧାର୍ଯ୍ୟ ହେବ କିମ୍ବା କେଉଁ କ୍ଷେତ୍ରକୁ ବିଶେଷ ରିହାତି ମିଳିବ, ସେ ସମ୍ପର୍କରେ ଆମେରିକା ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ଘୋଷଣା କରାଯାଇନାହିଁ।