ଦିଲ୍ଲୀ-ଏନସିଆରରେ ଲାଗୁ ହେଲା GRAP-I କଟକଣା

ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବା ପରେ GRAP-1 କଟକଣା ଲାଗୁ କରାଯାଇଛି । ଶୀତଦିନ ନ ଆସୁଣୁ, ଦିଲ୍ଲୀରେ କଟକଣା ଲାଗୁ ଆରମ୍ଭ ହୋଇଛି । ବୁଧବାର ସକାଳ ୯ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୩୩ ରେକର୍ଡ କରାଯାଇଛି ।ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଛନ୍ତି ଯେ ଦୀର୍ଘ ବର୍ଷ ପରେ ପ୍ରଥମ ଥର ଋତୁରେ ଏତେ ଶୀଘ୍ର ଜିଆରଏପି ଲାଗୁ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଆଗାମୀ ଦିନମାନଙ୍କରେ ରାତିର ତାପମାତ୍ରା ୧୮ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ତାପମାତ୍ରା ହ୍ରାସ ଓ ସନ୍ଧ୍ୟା ନଇଁଲେ ବାୟୁର ବେଗ ଧିମେଇଯିବା ଗାଡ଼ିର ଧୂଆଁ ଓ ଧୂଳି ମାଟିଠୁ ଖୁବ୍ କମ୍ ଉଚ୍ଚତାରେ ଭାସି ବୁଲୁଛି। ସିପିସିବିଙ୍କ ତଥ୍ୟ ଅନୁସାରେ ପୁଷା, ପଞ୍ଜାବୀ ବାଗ ଓ ଗ୍ରେଟର ନୋଏଡା ନଲେଜ ପାର୍କ ଭଳି ଅଞ୍ଚଳରେ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ହୋଇପଡିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବୟଷ୍କ ଓ ନିଶ୍ୱାସପ୍ରଶ୍ୱାସ ସମ୍ପର୍କିତ ରୋଗୀଙ୍କ ଲାଗି ସତର୍କତା ଜାରି କରିଛନ୍ତି। ଏଥିରେ ଏପରି ଲୋକଙ୍କୁ ସକାଳ ଓ ସାନ୍ଧ୍ୟ ଭ୍ରମଣ ବନ୍ଦ କରିବାକୁ ଓ ଯଦି ବାହାରକୁ ବାହାରୁଛନ୍ତି ତେବେ ମୁହଁ ମାସ୍କ ଲଗାଇ ବାହାରିବାକୁ ପରାମର୍ଶ ଦେଇଛନ୍ତି।କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, AQI ୦–୫୦ ମଧ୍ୟରେ ରହିଲେ ଭଲ, ୨୦୧–୩୦୦ ଖରାପ, ୩୦୧–୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୧–୫୦୦ ଗମ୍ଭୀର ଶ୍ରେଣୀରେ ରହିଥାଏ । ଦିଲ୍ଲୀର AQI ୨୩୩ ଥିବାରୁ ଏଠାରେ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି ।