କଟକ ଦଶହରା ଭସାଣିର ହେବ ସିଧା ପ୍ରସାରଣ

ଚଳିତ ବର୍ଷ କଟକ ଦଶହରା ଭସାଣିର ହେବ ସିଧା ପ୍ରସାରଣ । ସୂଚନା ଓ ଲୋକସମ୍ପର୍କ ବିଭାଗ ଭସାଣ ଶୋଭାଯାତ୍ରାର ସିଧା ପ୍ରସାରଣ କରିବ ।ପୁରୀ ରଥଯାତ୍ରା ଏବଂ କଟକ ବାଲିଯାତ୍ରା ଭଳି ଦୁର୍ଗାପୂଜାକୁ ମଧ୍ୟ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି।ଦେଶ ଓ ବିଦେଶରେ ଥିବା ସମସ୍ତ ଶ୍ରଦ୍ଧାଳୁ ୟୁଟ୍ୟୁବ୍ (YouTube) ଏବଂ ଜିଲା ପ୍ରଶାସନର ଅଫିସିଆଲ୍ ୱେବସାଇଟ୍‌ରେ କଟକ ଦୁର୍ଗାପୂଜା ଓ ଭସାଣିର ସିଧା ପ୍ରସାରଣ ଦେଖିପାରିବେ। ପ୍ରଶାସନର ଏହି ନିଷ୍ପତ୍ତି ଫଳରେ ଘରେ ବସି ମଧ୍ୟ ଶ୍ରଦ୍ଧାଳୁମାନେ କଟକ ପୂଜାର ଜାକଜମକ ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଦର୍ଶନ କରିବାର ସୁଯୋଗ ପାଇପାରିବେ।ସୂଚନା ଅନୁସାରେ, ସହରର ଚାରିଟି ସ୍ଥାନରୁ ସିଧା ପ୍ରସାରଣ ହେବ । ଏଥି ସହିତ ଦୁର୍ଗାପୂଜା ସମ୍ପର୍କିତ ପୁସ୍ତକ ମଧ୍ୟ ବାଲିଯାତ୍ରାରେ ଉନ୍ମୋଚନ କରାଯିବ। ସେହିଭଳି ଦୁର୍ଗାପୂଜା ଆରମ୍ଭରୁ କଟକ ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ବ୍ୟବସ୍ଥା, କଟକର ମୁଖ୍ୟ ପ୍ରବେଶ ପଥର ୪ଟି ସ୍ଥାନରେ ତୋରଣ ସହ ସହରର ବିଭିନ୍ନ ସମସ୍ୟା ପୂଜା ପୂର୍ବରୁ ଶେଷ କରାଯିବାକୁ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।