ରାଜ୍ୟରେ ୪୬୦ଟି ପ୍ରାଥମିକ ସ୍କୁଲ ବନ୍ଦ, ୧୩ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଫାଙ୍କା
ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଡ୍ରପଆଉଟ ନେଇ ଆସିଛି ଆଶ୍ଵସ୍ତିକର ଖବର । ରାଜ୍ୟରେ ମାଧ୍ୟମିକ ସ୍ତରରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି । ଗତ ବର୍ଷ ୧୫ ପ୍ରତିଶତ ଥିବା ହାର ଚଳିତ ବର୍ଷ ୧୪.୧ ପ୍ରତିଶତକୁ ଖସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି ।ବିଧାୟକ ସାଗର ଚରଣ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୨୩-୨୪ ରେ ଡ୍ରପ୍ ଆଉଟ୍ ହାର ୧୨.୮୦ ପ୍ରତିଶତ ଥିଲା, ୨୦୨୪-୨୫ ରେ ତାହା ୧୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ହେଲେ UDISE+ ର ନୂଆ ତଥ୍ୟ ଅନୁଯାୟୀ ୨୦୨୫-୨୬ ରେ ଏହା ୧୪.୧ ପ୍ରତିଶତକୁ ଖସିଛି । ଅନ୍ୟପଟେ ରାଜ୍ୟରେ ୪୬୦ଟି ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି।ରାଜ୍ୟର ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ (Full Aided) ଏବଂ ନୂତନ ଅନୁଦାନପ୍ରାପ୍ତ (New Aided) ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ମୋଟ ୧୩,୯୦୩ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସରକାରୀ ସ୍ତରରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି।