ଧବଳେଶ୍ୱର ପୀଠରେ ପ୍ରଶାସନ ପକ୍ଷରୁ ପଞ୍ଚୁକ ଓ ବଡ଼ଓଷା ପ୍ରସ୍ତୁତି ବୈଠକ।

ଆଠଗଡ଼, ୨୪/୦୯ ( ମାନସ ରଞ୍ଜନ ସାହୁ)
ପବିତ୍ର ପଞ୍ଚୁକ ଓ ବଡ଼ଓଷା ପର୍ବକୁ ସୁଚାରୁ, ଶୃଙ୍ଖଳିତ ଏବଂ ନିରାପଦ ଭାବେ ପରିଚାଳନା କରିବା ପାଇଁ ଧବଳେଶ୍ୱର ପୀଠ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ଅନିମେଶ ପ୍ରଧାନ, କଟକ ଆରକ୍ଷୀ ଅଧୀକ୍ଷକ (SP) ଶ୍ରୀ ବିନୀତ ଅଗ୍ରୱାଲ, ତହସିଲଦାର, ବିଡିଓ, ଦେବୋତ୍ତର ବିଭାଗ ଓ ଧବଳେଶ୍ୱର ପୂଜା କମିଟିର ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଆସନ୍ତା ନଭେମ୍ବର ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଚୁକ ପାଳନ କରାଯାଉଥିବାରୁ ପୀଠକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ନିରାପଦ ଦର୍ଶନ ପାଇଁ ବ୍ୟାରିକେଡ୍ ନିର୍ମାଣ, ରାସ୍ତା ମରାମତି, ପର୍ଯ୍ୟାପ୍ତ ପୁଲିସ ବଳ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପୀଠର ଭିତର ଓ ବାହାର ଅଞ୍ଚଳରେ CCTV ସର୍ଭିଲାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲର ମରାମତି, ସୁରକ୍ଷା ଯାଞ୍ଚ ଏବଂ ଏହାର ଭାର ବହନ କ୍ଷମତା ଅନୁଯାୟୀ ନିର୍ଦ୍ଦିଷ୍ଟ ସଂଖ୍ୟକ ଭକ୍ତଙ୍କୁ ଯିବାକୁ ଅନୁମତି ଦିଆଯିବ।ଏହା ସହିତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ହ୍ୱିଲ୍‌ଚେୟାର, ମହିଳାମାନଙ୍କ ପାଇଁ ଚେଞ୍ଜିଂ ରୁମ୍, ଜୋତା ଷ୍ଟାଣ୍ଡ, RO ପାନୀୟ ଜଳ ଏବଂ ପ୍ରାୟ ୪୦ଟି ମୋବାଇଲ୍ ଟଏଲେଟ୍‌ର ବ୍ୟବସ୍ଥା କରାଯିବ। ପୀଠକୁ ପ୍ଲାଷ୍ଟିକ୍‌ମୁକ୍ତ ରଖିବା ପାଇଁ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା କଡ଼ାକଡ଼ି କରାଯିବ, ଏବଂ ଯାତାୟାତ ପାଇଁ ମିନି ବସ୍, ଟ୍ୟାକ୍ସି ସେବା ଓ ପାର୍କିଂର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଶ୍ରଦ୍ଧାଳୁ ଯେପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।