କାଳବୈଶାଖୀର ତାଣ୍ଡବ ଲୀଳାଗଛପଡ଼ି ବୃଦ୍ଧା ଗୁରୁତର- ଆସିଲାନି ଆମ୍ବୁଲାନ୍ସଖଟିଆରେ ବୁହାହେଲେ ଗୁରୁତର ମହିଳାଗଛ ପଡି ରାସ୍ତା ଅବରୋଧ, ବିଦ୍ୟୁତ ଖୁଂଟ ଉପୁଡ଼ିଲା

ଗଣିଆ,(ବିଶ୍ୱରଂଜନ ସେଠି ) ଶନିବାର ଅପରାହ୍ନରେ କାଳବୈଶାଖିର ପ୍ରଭାବରେ ଗଣିଆ ଅଂଚଳର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ରାସଙ୍ଗ ପଂଚାୟତ କାଦୁଆ ଗ୍ରାମର ସୁଲୋଚନା ନାୟକ(୫୫) କାଳବୈଶାଖୀ ସମୟରେ ବାଡ଼ିପଟକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେହି ସମୟରେ ଆମ୍ବ ଡାଳ ଭାଙ୍ଗି ତାଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାବେଳେ ଛାତି, ଅଂଟା ଓ ଡାହାଣ କାନ୍ଧରେ ଗଭୀର ଆଘାତ ହୋଇଛି । ପରିବାର ଲୋକ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଗଣିଆରୁ କାଦୁଆ ୬ କି.ମି ହୋଇଥିବଲେ ମଧ୍ୟ ଆମ୍ବୁଲାନ୍ସ ୧ଘଂଟା ମଧ୍ୟରେ ପଂହଚିନଥିଲା । କାରଣ ଗଣିଆ ଠାରୁ ଡଙ୍କାରିସାହି ପର୍ଯ୍ୟନ୍ତ ରାସ୍ତା ଉପରେ ଶହ ଶହ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇ ପଡ଼ିଥିଲା । ଫଳରେ ପରିବାର ଲୋକ ପିଡ଼ିତାଙ୍କୁ ଏକ ଖଟିଆ ସାହାଯ୍ୟରେ ଚାଲି ଚାଲି ୪କି.ମି ଆସିବା ପରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆଙ୍କ ନେତୃତ୍ୱରେ ଦଶିପୁର କଟାଚଣ୍ଡି ମନ୍ଦିର ନିକଟରୁ ପୋଲିସ ଭ୍ୟାନରେ ଗୁରୁତର ପିଡ଼ିତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ସଙ୍ଗେ ସଙ୍ଗେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । କାଳବୈଶାଖୀ ପ୍ରଭାବରେ ବହୁ ଜୋରରେ ପବନ ବହିବାରୁ ବେଲପଡ଼ାପାଟଣା ଓ ରାସଙ୍ଗ ପଂଚାୟତର ବିଜୟନଗର, ସୁବର୍ଣ୍ଣପୁର, ଦଶିପୁର, ରାସଙ୍ଗ, କାଦୁଆ ସମେତ ୧୫ରୁ ଉଦ୍ଦ୍ୱର୍ ଗ୍ରାମରେ ବ୍ୟପକ କ୍ଷୟକ୍ଷତି ଘଟିଥିବାବେଳେ ରାଉତପଡ଼ା ଗ୍ରାମର କାର୍ତିକ ସାହୁଙ୍କ ତିନି ଚକିଆ ଗାଡ଼ିଉପରେ ଗଛ ପଡ଼ି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିପରି ସେହିଗ୍ରାମର କମଳ ବେହେରା, ଶକ୍ତିକାନ୍ତ ସାହୁ, ଦଶିପୁରର ନରେଶ କୁମାର ଦାଶଙ୍କ ୨ବଖରା ଲେଖାଏଁ ଘରର ଆଜବେଷ୍ଟସ ଉଡ଼ାଇ ନେଇ ବ୍ୟାପକ କ୍ଷତି ଘଟିଛି । କେନ୍ଦୁପଲ୍ଲୀ ଗ୍ରାମର ରାଜ କିଶୋର ସାହୁ, ଭରତ ବେହେରା ଓ ଶରତ ବେହେରାଙ୍କ ଟିଣ ଛପର ଉଡ଼ାଇ ନେଇଛି । କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଶାଗୁଆନ ଗଛ ଭାଙ୍ଗି ବିଦ୍ୟୁତ ଖୁଂଟ ଭାଙ୍ଗି ଯାଇଛି । ବିଭିନ୍ନ ଯାଗାରେ ବିଭିନ୍ନ ପ୍ରକାର ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଆବରୋଧ ହୋଇ ପଡ଼ିଛି । ଏଥି ସହିତ ବିଭିନ୍ନ ଯାଗାରେ ବିଦ୍ୟୁତ ଖୁଂଟ ଉପୁଡ଼ିବା ସହିତ ବିଦ୍ୟୁତ ତାର ଛିଡ଼ି ରାସ୍ତା ଉପରେ ପଡ଼ିରହିଛି । ଗଣିଆ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅଗ୍ନିଶମ କର୍ମଚାରୀମାନେ କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଭାଙ୍ଗିଥିବା ଗଛକୁ କାଟି ରାସ୍ତା ସଫା କରିଥିଲେ । ବିଦ୍ୟୁତ ବିଭାଗର କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ଚେଷ୍ଟା ଜାରି ରଖିଛନ୍ତି ।