ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ। ଏହା ପଛରେ ରହିଛି ଅତ୍ୟଧିକ ବୃଷ୍ଟିପାତ: ଅନୁ ଗର୍ଗ

ଗଞ୍ଜାମ ବନ୍ୟାକୁ ନେଇ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏବେ ସରକାରଙ୍କ ପକ୍ଷ ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ସେ କହିଛନ୍ତି, ଗଞ୍ଜାମରେ ଦେଖାଦେଇଥିବା ବନ୍ୟା ମନୁଷ୍ୟକୃତ ନୁହେଁ। ଏହା ପଛରେ ରହିଛି ଅତ୍ୟଧିକ ବୃଷ୍ଟିପାତ। ଲଗାତାର ତିନିଦିନ ଧରି ଅସ୍ୱାଭାବିକ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଥିଲା।ଗୋଟିଏ ଦିନରେ ପାତ୍ରପୁରରେ ରେକର୍ଡ ହୋଇଥିଲା ୫୪୬ ମିଲିମିଟର ବର୍ଷା। ଏହା ୨୦୧୩ ମସିହାରେ ବାତ୍ୟା ସମୟରେ ହୋଇଥିବା ବର୍ଷାର ରେକର୍ଡକୁ ମଧ୍ୟ ଟପିଯାଇଥିଲା। ତେଣୁ ଏତେ ପରିମାଣର ବର୍ଷାକୁ ବନ୍ୟାର ମୁଖ୍ୟ କାରଣ ।

ସେହିପରି ଜଳଭଣ୍ଡାର ଓ ଡ୍ୟାମ୍‌ ପରିଚାଳନାକୁ ନେଇ ଉଠୁଥିବା ପ୍ରଶ୍ନରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ଅନୁ ଗର୍ଗ। ତାଙ୍କ କହିବା ଅନୁସାରେ, କ୍ୟାଚମେଣ୍ଟ ଏରିଆରୁ ଆସିଥିବା ମୋଟ ଜଳର ମାତ୍ର ୧୦ ପ୍ରତିଶତ ଡ୍ୟାମ୍‌ ଭିତରକୁ ପ୍ରବେଶ କରିଥିଲା। ବାକି ୯୦ ପ୍ରତିଶତ ଜଳ ସିଧାସଳଖ ନଦୀଗୁଡ଼ିକ ଦେଇ ପ୍ରବାହିତ ହୋଇଥିଲା। ଡ୍ୟାମ୍‌ର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ନିର୍ଦ୍ଧାରିତ ପ୍ରୋଟୋକଲ୍‌ ଅନୁସାରେ ପର୍ଯ୍ୟାୟକ୍ରମେ ଗେଟ୍‌ ଖୋଲାଯାଇଥିଲା ବୋଲି ସେ କହିଛନ୍ତି। ଅନ୍ୟପଟେ ରାଜ୍ୟର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ.ଦିଲ୍ଲୀପ ରାଉତ ସାମ୍ବାଦିକ ସମ୍ମିଳନୀରେ ଡ୍ୟାମ ପରିଚାଳନାରେ କୌଣସି ତ୍ରୁଟି ନଥିବା ସ୍ପଷ୍ଟୀକରଣ ରଖିଛନ୍ତି । ଏଥିସହ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା କହିଛନ୍ତି ।