୬ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରାତି ତାପମାତ୍ରା ରେକର୍ଡ
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଆଜି ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ପାଣିପାଗ ବ୍ୟବସ୍ଥା ଅଧିକ ସକ୍ରିୟ ହୋଇପାରେ । ଓଡ଼ିଶା ପାଇଁ ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ବର୍ତ୍ତମାନ ବଡ଼ ଧରଣର ବର୍ଷା ଆଶଙ୍କା ନାହିଁ ।୭ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ଘଣ୍ଟାର ତଥ୍ୟ ଅନୁଯାୟୀ, କିଛି ସ୍ଥାନରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ କୋରାପୁଟରେ ସ୍ବାଭାବିକଠାରୁ ୫.୨ ଡିଗ୍ରୀ ତାପମାତ୍ରା ଅଧିକ ରହିଥିଲା। ଫୁଲବାଣୀ ଓ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ସିମିଳିଗୁଡ଼ାରେ ୧୧.୬, ଜି. ଉଦୟଗିରିରେ ୧୨.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪, ଭବାନୀପାଟଣାରେ ୧୪.୬ ଡିଗ୍ରୀ, ନବରଙ୍ଗପୁରରେ ୧୫ ଡିଗ୍ରୀ, ରାଉରକେଲାରେ ୧୫.୬ ଡିଗ୍ରୀ, କଟକରେ ୧୭.୪ ଏବଂ ଭୁବନେଶ୍ୱରରେ ୧୮.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ କଟକ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ ।