୩ ମାସ ଧରି ଚାଲିବ ସୁରକ୍ଷା ଅଭିଯାନ । ରାତିରେ ଅଚାନକ ଯାଞ୍ଚ କରିବେ ଅଧିକାରୀ

ଘନ କୁହୁଡ଼ି ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଆଜିଠାରୁ ଆରମ୍ଭ ହୋଇଛି ତିନି ମାସିଆ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ । ୨୦୨୭ ନଭେମ୍ବର ୧୦ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ଏଥିରେ ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଓ ରାୟଗଡ଼ା ରେଳମଣ୍ଡଳକୁ ସାମିଲ କରାଯାଇଛି ।ଅଭିଯାନ ସମୟରେ ଷ୍ଟେସନରୁ ଆରମ୍ଭ କରି ରେଳଧାରଣା ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ । ସିଗନାଲର ଦୃଶ୍ୟମାନତା, ଆବଶ୍ୟକୀୟ ସୁରକ୍ଷା ଉପକରଣ ଏବଂ କର୍ମଚାରୀଙ୍କ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯିବ । ଷ୍ଟେସନ ପରିଚାଳକଙ୍କୁ ପର୍ଯ୍ୟାପ୍ତ ଡେଟୋନେଟର ମହଜୁଦ ରଖିବା ସହ କୁହୁଡ଼ି ସମୟରେ ସିଗନାଲ ସମ୍ପର୍କିତ ସୂଚନା ଦେଉଥିବା କର୍ମଚାରୀଙ୍କୁ ତାଲିମ ଦିଆଯିବ ।କୁହୁଡ଼ି ସମୟରେ ଲୋକୋ ପାଇଲଟଙ୍କୁ ସିଗନାଲ ଚିହ୍ନିବାରେ ସହାୟତା ପାଇଁ କ୍ରୁ ଲବିରେ ପର୍ଯ୍ୟାପ୍ତ ସଂଖ୍ୟାରେ ଫଗ୍ ସେଫ୍ ଡିଭାଇସ୍ ରଖାଯିବ । ସେହିପରି ସିଗନାଲ, ଲେଭଲ୍ କ୍ରସିଂ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରେଟ୍ରୋ-ରିଫ୍ଲେକ୍ଟିଭ୍ ସୂଚକ ଏବଂ ଦୃଶ୍ୟମାନତା ବୋର୍ଡର ରକ୍ଷଣାବେକ୍ଷଣ କରାଯିବ ।କୁହୁଡ଼ି ସମୟରେ ଟ୍ରେନ୍‌ର ବେଗ ନିୟନ୍ତ୍ରଣ ଉପରେ ରେଳପଥ ଗୁରୁତ୍ୱ ଦେଇଛି । ଏହି ସମୟରେ ଟ୍ରେନ୍‌ର ସର୍ବାଧିକ ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ରହିବ । ତେବେ ଦୃଶ୍ୟମାନତା ଓ ସିଗନାଲ ସ୍ଥିତି ଅନୁଯାୟୀ ଲୋକୋ ପାଇଲଟ୍ ବେଗ ନିୟନ୍ତ୍ରଣ କରିବେ । ଯାତ୍ରା ସମୟରେ ଫଗ୍ ସେଫ୍ ଡିଭାଇସ୍ ଅଚଳ ହେଲେ କିମ୍ବା ଉପଲବ୍ଧ ନଥିଲେ ଟ୍ରେନ୍‌ର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର କିମ୍ବା ତା’ଠାରୁ କମ୍ ରଖାଯିବ । ଏଥିସହ ଲୋକୋ ପାଇଲଟମାନେ ନିୟମିତ ହୁଇସିଲ୍ ବଜାଇ ଗେଟମ୍ୟାନ୍ ଓ ରାସ୍ତାରେ ଯାଉଥିବା ଲୋତମାନଙ୍କୁ ଟ୍ରେନ୍ ଆସିବା ସମ୍ପର୍କରେ ସତର୍କ କରାଇବେ ।