ତିନି ଝିଅଙ୍କୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ !ନ୍ୟାୟ ନମିଳିଲେ ଆତ୍ମହତ୍ୟା ଚେତାବନୀ ଦେଲେ ପୀଡିତା
ବ୍ରହ୍ମପୁରରେ ଲଜ୍ଜାଜନକ ଘଟଣା । ରକ୍ଷକ ସାଜିଲା ଭକ୍ଷକ ! ତିନି ଝିଅଙ୍କୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ।ଥାନାରେ ଏତଲା ପରେ ଅଭିଯୁକ୍ତ ବାପାକୁ ଗିରଫ କଲା ପୋଲିସ । ଏବେ ଜାମିନରେ ଆସି ପୁଣି ଦୁଇ ଭଉଣୀକୁ ମାରପିଟ କରୁଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ, ବ୍ରହ୍ମପୁରରେ ତିନି ଜଣ ଝିଅଙ୍କୁ ସେମାନଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କିଛି ମାସ ପୂର୍ବରୁ ଥାନାରେ ଏତଲା ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ ମଧ୍ୟ କରିଥିଲା। ତେବେ ପରବର୍ତ୍ତୀ ସମୟରେ ସେ ଜାମିନରେ ମୁକୁଳିଥିଲେ । ଏବେ ପୁଣି ଥରେ ଦୁଇ ଭଉଣୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏଭଳି ନିର୍ଯାତନା ସହି ନପାରି ବଡ଼ ଝିଅ ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି ।ବର୍ତ୍ତମାନ ସାନ ଝିଅ ବାଳାଶ୍ରମରେ ରହୁଥିବା ବେଳେ ଅନ୍ୟ ଦୁଇ ଭଉଣୀ ନିଜ ଘରେ ରହୁଛନ୍ତି । ଘରେ ରହୁଥିବା ଦୁଇ ଭଉଣୀ ଏବେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ। ଯଦି ଆଗାମୀ ଦିନରେ ସେମାନଙ୍କର କିଛି ଅଘଟଣ ଘଟେ, ତେବେ ଏଥିପାଇଁ ପୁଲିସ ଓ ଓକିଲ ଦାୟୀ ରହିବେ ବୋଲି ଭିଡିଓରେ କହିଛନ୍ତି ଦୁଇ ଭଉଣୀ ।ଅନ୍ୟପଟେ ପୀଡ଼ିତାଙ୍କୁ ଧମକ ଦେବା, ମାଡ଼ ମାରିବା ଏବଂ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଇବା ଅଭିଯୋଗରେ ଅକ୍ଟୋବର ୧୬ ତାରିଖରେ ଆଉ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ ନୋଟିସ୍ ଜାରି କରିଛି ପୋଲିସ ।