ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ମେରୁ ଉତ୍ସବ ପାଳିତ

ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକର କିଶୋରପ୍ରସାଦ ଗ୍ରାମରେ ଦୀର୍ଘ ୧୭ଦିନ ଧରି ଚାଲିଥିବା ମା’ ଦଣ୍ଡକାଳୀଙ୍କ ଉପାସନା ଦଣ୍ଡଯାତ୍ରାପର୍ବ ରବିବାର ମେରୁ ଉତ୍ସବରେ ଉଦ୍‌ଯାପିତ ହୋଇଯାଇଛି । ମେରୁ ପର୍ବର ଅପରାହ୍ନରେ ଦଣ୍ଡୁଆମାନେ ଧୂଳି ଦଣ୍ଡ ଖେଳି ପାଣିଦଣ୍ଡ ତୋଳିଥିଲେ । ଏହି ଉପଲକ୍ଷେ କାମନାଘର ସମ୍ମୁଖରେ ହୋମକୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇଥିଲା । ହୋମକୁଣ୍ଡର ଦୁଇପାଶ୍ୱର୍ରେ ଥିବା ମଣିଖୁଂଟରେ ବଡ଼ ଦଣ୍ଡୁଆ ଓ ପାଟଦଣ୍ଡୁଆଙ୍କ ମୁଣ୍ଡ କିଛି ସମୟପାଇଁ ଝୁଲି ରହିବାର ଦୃଶ୍ୟ ଭକ୍ତମାନଙ୍କ ମନରେ ଭକ୍ତିର ସଂଚାର କରିଥିଲା । ପରେ ମଣି ଖୁମ୍ବରେ ବନ୍ଧା ହୋଇଥିବା ଆମ୍ବକୁ ବଡ଼ଦଣ୍ଡ଼ୁଆ ଭକ୍ତମାନଙ୍କ ଉପରକୁ ଫିଙ୍ଗିଥିଲେ ।

ପରେ ପୋଖରୀକୁ ଯାଇ ସ୍ନାନ ସାରିବା ପରେ ଦଣ୍ଡ ଠାକୁରଙ୍କୁ ଝୁଣା ଧୁପ ମାରି ଜୀବଦାନ କରାଯାଇଥିଲା । ସ୍ନାନତୁଠରେ ଯେଉଁଭକ୍ତମାନେ ମେରୁ ଉପବାସ ରହି ନିଜର ମନସ୍କାମନା ପୁରଣ କରିବାକୁ ଗୁହାରିଆ ପଡ଼ିଥିଲେ ସେମାନଙ୍କ ନାମରେ ହକ ଦେଇ ଠାକୁରଙ୍କ ଝୁଣାଧୁପ ପ୍ରସାଦ ଦେଇ ଉଠାଯାଇଥିଲା । ତାପରେ ସେଠାରୁ ବାଜାବାଣ ଫୁଟାଇ ଏକ ବିରାଟ ପଟୁଆରରେ ଦଣ୍ଡକାଳୀକା କୋଠୀଘରକୁ ଠାକୁର ଯାଇଥିଲେ । ସେଠାରେ ଠାକୁରଙ୍କ ପୁଜାନୀତି ସରିବାପରେ ସମସ୍ତ ଦଣ୍ଡୁଆ ଓ ଉପାସ କରିଥିବା ଭକ୍ତମାନେ ପଣା ସାରଥିଲେ । ଏହି ଅବସରରେ ଗାଁ ଦାଣ୍ଡ ଝୁଣାଧୁପରେ ସ୍ଥାନୀୟରେ ବେଶ ଭକ୍ତମୟ ପରିବେଶ ସୃଷ୍ଟି ହୋଇଥିଲା । ଏହା ଦେଖିବାକୁ ଆଖପାଖ ଅଚଳର ଶତାଧିକ ଭକ୍ତମାନେ ଉପସ୍ଥିତ ହୋଇଥିଲେ । ଏହି ଅବସରରେ ଆତସବାଜିର ପ୍ରତିଯୋଗିତା କରାଯାଇଥିଲା । କୋଠଘରେ ମଧ୍ୟରାତ୍ରରେ ମା’ ଦଣ୍ଡ଼କାଳୀ ବରଣ କରାଯାଇ ମନ୍ଦିରକୁ ବିଜେ କରାଯାଇଥିଲା । ଏହିଦିନଗୁଡ଼ିକରେ ମାନସିକଧାରୀ ଦଣ୍ଡୁଆମାନେ ନିର୍ଜଳା ଉପବାସ ରହି ସଂନ୍ଧ୍ୟାରେ ଗୁଡ଼ପଣା ସେବନ କରିଥାନ୍ତି । ସେହିଭଳି ଗଣିଆ ବ୍ଳକର ଗଣିଆ, କିଶୋରପ୍ରସାଦ, ପତଣ୍ଡା, କରଡ଼ାପଡ଼ା, ଆଡ଼କଟା, ବିଜୟନଗର, ରାସଙ୍ଗ, ଛାମୁଣ୍ଡିଆ, ବଡ଼ମୂଳ, ଡଙ୍କାରିସାହି, ରାଜିଙ୍ଗି ଆଦି ଗ୍ରାମରେ ମେରୁ ଉତ୍ସବ ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।