ଚିକିତ୍ସା ପାଇଁ ଆସି ଡାକ୍ତରଙ୍କୁ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ,ଅଭିଯୁକ୍ତକୁ ଅଟକ

ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କଲେ ଜଣେ ଯୁବକ । ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି । ଘଟଣାକୁ ନେଇ ବରଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ରବିବାର ବିଳମ୍ବିତ ରାତ୍ରିରେ ସିଏଚସିର କାର୍ଯ୍ୟରତ ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଜଣେ ରୋଗୀଙ୍କ ସମ୍ପର୍କୀୟ ହଠାତ୍ ଆକ୍ରମଣ କରିଥିଲେ । ଡାକ୍ତରଙ୍କ ମୁଣ୍ତ ଫାଟି ରକ୍ତସ୍ରାବ ହୋଇଥିଲା । ଡାକ୍ତର ସୁଦୀପ୍ତ ଟାଉନ ଥାନାର ଦ୍ବାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । କାର୍ଯରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ ହେବ ବୋଲି ଡାକ୍ତର ମାନଙ୍କ ପାଖରୁ ସୂଚନା ମିଳିଛି ।