ନୂଆ ଟିମ୍ ଘୋଷଣା କଲେ ନିତିନ ନବୀନ,ପରେ ପ୍ରତିକ୍ରିୟା ରଖିଲେ

ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଭିଜ୍ଞତା ଏବଂ ଉତ୍ସାହରେ ଭରା ନୂଆ ଟିମ ସଂଗଠନକୁ ଆଗକୁ ନେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଗଦର୍ଶନରେ ନୂଆ ଟିମ କାମ କରିବ। ବିକଶିତ ଭାରତ ଓ ଦେଶ ନିର୍ମାଣ ପାଇଁ ସଂଗଠନକୁ ଆହୁରି ମଜଭୂତ କରାଯିବ ବୋଲି ସଭାପତି ମତବ୍ୟକ୍ତି କରିଛନ୍ତି।

ସୋମବାର ଭାଜପାର ନୂଆ ଟିମ୍‌ ଘୋଷଣା କରାଯାଇଛି। ନୂଆ ରାଷ୍ଟ୍ରୀୟ ଟିମରେ ବହୁ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ଘୋଷଣା କରିଛି ।ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂହ ରାୱତ, ରାମ ମାଧବ, ବୈଜୟନ୍ତ ପଣ୍ଡା, ଡି.ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ୍ ନରେନ୍ଦ୍ରଭାଇ ଦୋଶୀ, ଭାରତୀ ପ୍ରବୀଣ ପୱାର, ମନପ୍ରୀତ ସିଂହ ବାଦଲ, ଲାଲ୍ ସିଂହ ଆର୍ଯ୍ୟ, ଏମ୍.ନାଗରାଜା, ତାରିକ୍ ମନସୁର ଏବଂ ମଧୁଚନ୍ଦ୍ର କରଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ପାର୍ଟିର ନୂଆ ଟିମରେ ବିନୋଦ ତାୱଡେ ଏବଂ ସ୍ମୃତି ଇରାନୀଙ୍କୁ ‘ରାଷ୍ଟ୍ରୀୟ ମହାସଚିବ’ ଦାୟିତ୍ୱ ଦିଆଯାଇଛି । ଉଭୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ବିଏଲ୍. ସନ୍ତୋଷଙ୍କୁ ରାଷ୍ଟ୍ରୀୟ ମହାସଚିବ (ସଂଗଠନ) ଭାବେ ଦାୟିତ୍ୱ ମିଳିଛି । ଶିବପ୍ରକାଶ ଓ ସୌଦାନ ସିଂହଙ୍କୁ ରାଷ୍ଟ୍ରୀୟ ଉପ-ମହାସଚିବ (ସଂଗଠନ) ଦାୟିତ୍ୱ ଦିଆଯାଇଛି । ପୁରୀ ସାଂସଦ ସମ୍ୱିତ୍ ପାତ୍ରଙ୍କୁ ଉତ୍ତର-ପୂର୍ବାଞ୍ଚଳ ସଂଯୋଜକ କରାଯାଇଛି । ସେହିପରି ରାଜୀବ ବବ୍ବରଙ୍କୁ ଉତ୍ତର-ପୂର୍ବାଞ୍ଚଳ ଯୁଗ୍ମ ସଂଯୋଜକ କରାଯାଇଛି । ତେବେ ନୂଆ ଟିମରେ ସବୁଠୁ ବଡ଼ କଥା ହେଉଛି ଦୀର୍ଘ ଦିନ ଧରି ଆଇଟି ସେଲ୍ ମୁଖ୍ୟ ଦାୟିତ୍ୱରେ ଥିବା ଅମିତ୍ ମାଲବ୍ୟଙ୍କୁ ବାଦ ଦିଆଯାଇଛି । ସେ ଦୀର୍ଘ ସମୟ ଧରି ବିଜେପିର ଆଇଟି ସେଲ୍ ମୁଖ୍ୟ ଥିଲେ । ମାଲବ୍ୟଙ୍କ ସ୍ଥାନରେ ଦୀପକ ମହାସ୍କେଙ୍କୁ ସୋସିଆଲ ମିଡିଆ ଦାୟିତ୍ୱରେ ନିଯୁକ୍ତ କରାଯାଇଛି ।