ପାର୍ବଣ ପୂର୍ବରୁ ଅନ୍ଧକାରରେ ଗଣିଆର ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଆଲୋକୀକରଣ ପାଇଁ ସାଧାରଣରେ ଜୋରଦାର ଦାବି
ଗଣିଆ, (ବିଶ୍ୱରଂଜନ ସେଠି ):ନୟାଗଡ଼ ଜିଲ୍ଲା ଗଣିଆ ବଜାରର ଶୋଭାବର୍ଦ୍ଧନ କରୁଥିବା ତଥା ଆଧ୍ୟାତ୍ମିକ ଚେତନାର ପ୍ରମୁଖ କେନ୍ଦ୍ର ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଏବେ ଅବହେଳା ଯୋଗୁଁ ଅନ୍ଧକାର ମଧ୍ୟରେ ରହିଛି। ଆଗକୁ ପବିତ୍ର ଦଶହରା ଓ ବିଭିନ୍ନ ପାର୍ବଣ ଆସୁଥିବାବେଳେ ମନ୍ଦିର ପରିସରରେ ଆଲୋକର ଅଭାବ ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି। ସୂଚନା ଅନୁଯାୟୀ, ଗଣିଆ ବଜାରର ମୁଖ୍ୟ ଆକର୍ଷଣ ଏହି ରଘୁନାଥ ଜୀଉ ମନ୍ଦିରଟି ୨୦୧୪ ମସିହାରେ ଓଡ଼ିଶାର ମାନ୍ୟବର ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସଂହ ଦେବଙ୍କ କରକମଳରେ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ମନ୍ଦିରର ସୌନ୍ଦର୍ଯ୍ୟ ଓ ଆଲୋକୀକରଣ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC), ଭୁବନେଶ୍ୱର ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା। ମନ୍ଦିର ନିକଟରେ ୨ଟି ଷ୍ଟ୍ରିଟ୍ ଲାଇଟ୍ ଖମ୍ବ ସ୍ଥାପନ କରାଯାଇ ସେଥିରେ ୧୨ଟି ଉନ୍ନତମାନର ଏଲ୍.ଇ.ଡି. (LED) ହାଇମାକ୍ସ ଲାଇଟ୍ ଲଗାଯାଇଥିଲା।

ମାତ୍ର ଦୀର୍ଘ ବର୍ଷର ବ୍ୟବଧାନ ଏବଂ ରକ୍ଷାବେକ୍ଷଣର ଅଭାବ ଯୋଗୁଁ ଏହି ଲାଇଟ୍ ଗୁଡ଼ିକ କ୍ରମଶଃ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ସମସ୍ତ ଲାଇଟ୍ ଫିଉଜ୍ ହୋଇଯିବା କାରଣରୁ ସନ୍ଧ୍ୟା ହେଲେ ସମ୍ପୂର୍ଣ୍ଣ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳ ଅନ୍ଧକାରରେ ବୁଡ଼ି ରହୁଛି।
ଆଗକୁ ଦଶହରା ଓ ମା’ ଦୁର୍ଗାପୂଜା ଆସୁଥିବାରୁ ଏହି ମନ୍ଦିରରେ ପ୍ରତିଦିନ ହଜାର ହଜାର ଜନସମାଗମ ହେବାର ସମ୍ଭାବନା ରହିଛି। କେବଳ ଗଣିଆ ବ୍ଲକ ନୁହେଁ, ବରଂ ପଡ଼ିଶା ଖଣ୍ଡପଡ଼ା, ଦଶପଲ୍ଲା ଏବଂ ନରସିଂହପୁର ବ୍ଲକରୁ ମଧ୍ୟ ଶହ ଶହ ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥଙ୍କ ଦର୍ଶନ ପାଇଁ ଏଠାକୁ ଛୁଟିଆସିଥାନ୍ତି।
ତେବେ ମନ୍ଦିରଟି ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ଆଦୌ ନିଘା ନାହିଁ। ସନ୍ଧ୍ୟା ସମୟରେ ଅନ୍ଧକାର ରହୁଥିବାରୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ବିଶେଷକରି ମହିଳା ଓ ବୃଦ୍ଧବୃଦ୍ଧାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପାର୍ବଣ ଋତୁ ପୂର୍ବରୁ ତୁରନ୍ତ ଏହି ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକୁ ମରାମତି କିମ୍ବା ବଦଳାଇ ପୁନର୍ବାର ଆଲୋକୀକରଣ ବ୍ୟବସ୍ଥା କରିବା ପାଇଁ ଓଟିଡିସି (OTDC) ଏବଂ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଜୋରଦାର ଦାବି ହେଉଛି।