ସେବା ପକ୍ଷ ଅବସରରେ ସେବା-ସେତୁ ଅଭିଯାନ କାର୍ଯ୍ୟକ୍ରମ !!

ଗଣିଆ -(ବିଶ୍ୱରଂଜନ ସେଠି ) ଓଡ଼ିଶା ସରକାରଙ୍କ ପାନୀୟ ଜଳ ଓ ପଂଚାୟତରାଜ ବିଭାଗ ତରଫରୁ ଗଣିଆ ବ୍ଳକ ସଭାଗୃହରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ସେବା-ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଲାବଣ୍ୟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ପ୍ରଶାସନ ତରଫରୁ ଏସଡିସି ଚେୟାରମ୍ୟାନ ତ୍ରିନାଥ ମଲିକ, ଏବିଡିଓ ରତନଲାଲ ଲୋହରା, ପଂଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସିଡିପିଓ ଉଷାରାଣୀ ସାହୁ, ୮ଗୋଟି ପଂଚାୟତର ସମସ୍ତ ସରପଂଚଙ୍କ ସମେତ ସମସ୍ତ ଲାଇନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ସ୍ୱଚ୍ଛତା ହି ସେବା ଅଭିଯାନ ଅଧିନରେ ଗ୍ରାମାଂଚଳରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ବଜାୟ ରଖିବାକୁ ସଚେତନତା ସୃଷ୍ଟି କରାଯାଇଥିଲା । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକମାନଙ୍କ ପାଖରେ ପଂହଚାଇବା ଓ ସେବା ଯୋଗାଇବା ସଂପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ଜଳାତଙ୍କ ରୋଗର ନିରାକରଣ ଓ ସଚେତନତା ସଂପର୍କରେ ବିଶେଷ ସୁଚନା ପ୍ରଦାନ କରାଯାଇଥିଲା । ମିଶନ ଶକ୍ତି ତରଫରୁ ବ୍ୟାଙ୍କରୁ ଋଣ ନେଇ ଠିକ ଭାବରେ ପରିଶୋଧ କରିବାରେ ନୟାଗଡ଼ ଜିଲାରେ ଗଣିଆ ବ୍ଳକର ରାସଙ୍ଗ ଗ୍ରାମର ମା ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଛାମୁଣ୍ଡିଆ ଗ୍ରାମର ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥବବାରୁ ସେମାନଙ୍କୁ ସୁଧ ସହାୟତା ଯୋଜନାରେ ୩୮୪୫୨ଟଙ୍କା ଓ ୩୭୨୫୪ଙ୍କା ର ଅର୍ଥରାଶି ଚେକ ପ୍ରଦାନ କରାଯାଇଥିଲା । ସେହିଭଳି ୱାଲିପୁର ଗ୍ରାମର ମା ପୁର୍ଣ୍ଣମାଶୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ କିଶୋରପ୍ରସାଦ ଗ୍ରାମର ମା ଦକ୍ଷିଣକାଳୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ଦଶଲକ୍ଷ ଟଙ୍କା ଲେଖାଏଁର ଚେକ ପ୍ରଦାନ କରାଯାଇଥିଲା ।