ଭୋଟ୍ ପାଇଁ ପ୍ରାର୍ଥୀଙ୍କ କସରତ: ୩୪୮ଟି କଲେଜରେ ଅନୁଷ୍ଠିତ ହେବ ଛାତ୍ର ସଂସନ ନିର୍ବାଚନ

ନାମାଙ୍କନ ସରିଲା, ଏବେ ପ୍ରଚାରର ପାଳି । ୧୫ ଅକ୍ଟୋବର ଭୋଟ୍ ପାଇଁ ପ୍ରାର୍ଥୀଙ୍କ କସରତ । ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଫେରୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ୩୪୮ଟି କଲେଜରେ ଅନୁଷ୍ଠିତ ହେବ ଛାତ୍ର ସଂସନ ନିର୍ବାଚନ, ୭୧୬୯ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ । ମୋଟ ୮ ହଜାର ୩୨୫ଟି ନାମାଙ୍କନ ଦାଖଲ ହୋଇଥିବା ବେଳେ ଏଥିରେ ୧,୧୫୬ଟି ପ୍ରାର୍ଥୀପତ୍ର ନାକଚ ହୋଇଛି । ମୋଟ ୭୧୬୯ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ବୈଧ ଘୋଷିତ ହୋଇଛି। ଏହି ପ୍ରାର୍ଥୀମାନେ ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କଲେଜ ସ୍ତରରେ ୧୬୨୦ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ ସ୍ତରରେ ୩୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟ ହାସଲ କରିଛନ୍ତି । ଅନ୍ୟପକ୍ଷରେ, ଛାତ୍ର ସଂସଦ ନିର୍ବାଚନର ବିଭିନ୍ନ ପଦବୀ ପାଇଁ ମୋଟ ବୈଧ ପ୍ରାର୍ଥୀଙ୍କ ସଂଖ୍ୟା ପ୍ରକାଶ ପାଇଛି। ଏଥିରେ ସଭାପତି ପଦ ପାଇଁ ୧,୧୪୯ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୭୫୮ ଜଣ, ଉପସଭାପତି ପଦ ପାଇଁ ୮୬୯ ଜଣ ଏବଂ ସହକାରୀ ସମ୍ପାଦକ ପଦ ପାଇଁ ୪୬ ଜଣ ପ୍ରାର୍ଥୀ ରହିଛନ୍ତି । ଗତକାଲି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ଦାଖଲ ବେଳେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା। ବାଜା, ନାଚଗୀତ, ଶୋଭାଯାତ୍ରା ଓ ସ୍ଲୋଗାନ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ । ସମର୍ଥକଙ୍କ ସହ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିଜ ନିଜ କ୍ୟାମ୍ପସରେ ଶକ୍ତି ପ୍ରଦର୍ଶନ କରିଥିଲେ। ଏବେ ନଜର ରହିଛି ପ୍ରାର୍ଥୀଙ୍କ ପ୍ରଚାର ଉପରେ । ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟା ମଧ୍ୟ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି ।