ପିୟୁସି ନିୟମରେ ବଡ଼ ପରିବର୍ତ୍ତନ, ୩ ବର୍ଷ ହୋଇପାରେ PUC ସାର୍ଟିଫିକେଟ୍ ବୈଧତା

କେନ୍ଦ୍ର ସରକାର ପଲ୍ୟୁସନ୍ ଅଣ୍ଡର କନଟ୍ରୋଲ ସାର୍ଟିଫିକେଟ୍ (PUC/PUCC) ନିୟମରେ କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ଡ୍ରାଫ୍ଟ ବିଜ୍ଞପ୍ତି ଅନୁଯାୟୀ, ବିଏସ୍‌-୬ ମାନକର ନୂଆ ବ୍ୟକ୍ତିଗତ ଗାଡ଼ି ପାଇଁ ପିୟୁସି ସାର୍ଟିଫିକେଟ୍‌ର ବୈଧତାକୁ ଏକ ବର୍ଷରୁ ବୃଦ୍ଧି କରାଯାଇ ୩ ବର୍ଷ କରାଯିବାକୁ ପ୍ରସ୍ତାବ ରହିଛି । ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବିଏସ୍‌-୬ ଗାଡ଼ି ମାଲିକଙ୍କୁ ବାରମ୍ବାର ପିୟୁସି କରାଇବାକୁ ପଡ଼ିବ ନାହିଁ । ସେହିପରି ବିଏସ୍‌ -୧ ଠାରୁ ବିଏସ୍‌-୪ ପର୍ଯ୍ୟନ୍ତ ପୁରୁଣା ଯାନବାହନ ପାଇଁ ପ୍ରଦୂଷଣ ଯାଞ୍ଚ ନିୟମକୁ ଅଧିକ କଠୋର କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି, ଯାହା ଦ୍ୱାରା ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ଉପରେ କଡ଼ା ନଜର ରଖାଯିବ । ସେଭଳି ୧୦ ବର୍ଷରୁ ଅଧିକ ପୁରୁଣା ବିଏସ୍-୬ ଗାଡି ପାଇଁ ବର୍ତ୍ତମାନର ବ୍ୟବସ୍ଥା ଭଳି ପ୍ରତି ୬ ମାସରେ PUC ତିଆରି କରିବା ଜରୁରୀ ହେବ।ଡ୍ରାଫ୍ଟରେ ବିଏସ୍-୬ କମର୍ସିଆଲ ବାହନ ପାଇଁ ଅଲଗା ବ୍ୟବସ୍ଥା ପ୍ରସ୍ତାବିତ କରାଯାଇଛି। ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା କମର୍ସିଆଲ ବିଏସ୍-୬ ବାହନର PUC ୨ ବର୍ଷ ଯାଏଁ ବୈଧ ରହିବ। ୬ ରୁ ୧୦ ବର୍ଷ ପୁରୁଣା ବାହନକୁ ପ୍ରତି ବର୍ଷ PUC ରିନ୍ୟୁ କରିବାକୁ ହେବ। ୧୦ ବର୍ଷରୁ ଅଧିକ ପୁରୁଣା ବାହନର PUC ପ୍ରତି ୬ ମାସରେ ତିଆରି କରିବା ଜରୁରୀ।ବୈଧ ପିୟୁସି ସାର୍ଟିଫିକେଟ୍ ବିନା ରାସ୍ତାରେ ଗାଡ଼ି ଚଳାଇଲେ ମୋଟର ଯାନ ଆଇନ ଅନୁସାରେ ଜରିମାନା ଦେବାକୁ ପଡ଼ିପାରେ । ତେଣୁ ସମୟରେ ପିୟୁସି କରାଇବା ଆଇନଗତ ଭାବେ ମଧ୍ୟ ଜରୁରୀ । ସୂଚନା ଯୋଗ୍ୟଯେ ବିଏସ୍-୬ ହେଉଛି ଭାରତର ସବୁଠାରୁ ଆଧୁନିକ ଯାନ ଉତ୍ସର୍ଜନମାନକ, ଯାହା ୧ ଏପ୍ରିଲ ୨୦୨୦ରୁ ସାରା ଦେଶରେ ଲାଗୁ ହୋଇଛି । ଏହି ପ୍ରଯୁକ୍ତିରେ ଇଞ୍ଜିନ୍ ସିଷ୍ଟମ୍‌କୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ କାର୍ବନ ମନୋକ୍ସାଇଡ୍ (CO), ନାଇଟ୍ରୋଜେନ୍ ଅକ୍ସାଇଡ୍ (NOx), ହାଇଡ୍ରୋକାର୍ବନ୍ (HC) ଓ ପାର୍ଟିକ୍ୟୁଲେଟ୍ ମ୍ୟାଟର୍ (PM) ପରି କ୍ଷତିକାରକ ପ୍ରଦୂଷକର ପରିମାଣ ବହୁତ କମିଯାଏ ।