ପୁନଃ ମୂଲ୍ୟାୟନ ଦେୟ କମାଇଲା CBSE
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳର ପୁନଃ ମୂଲ୍ୟାୟନ ସହ ପରୀକ୍ଷା ଖାତା ନକଲ ଓ ମାର୍କ ଯାଞ୍ଚ ପାଇଁ ଫି ହ୍ରାସ କରିଛି ସିବିଏସ୍ଇ । ରବିବାର ଶିକ୍ଷା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ପରୀକ୍ଷାର୍ଥୀ ଉତ୍ତର ଖାତାର ସ୍କାନ କପି ପାଇବା ପାଇଁ ପୂର୍ବରୁ ପ୍ରତି ବିଷୟ ପିଛା ୭୦୦ଟଙ୍କା ନିଆଯାଉଥିଲା। ଏହାକୁ ହ୍ରାସ କରି ୧୦୦ ଟଙ୍କା କରାଯାଇଛି। ସେହିପରି ପ୍ରତି ଉତ୍ତର ଖାତା ଯାଞ୍ଚ ନିମନ୍ତେ ଦେୟ ୫୦୦ ଟଙ୍କା ଥିଲା। ଅନୁରୂପ ଭାବେ ଏହି ଦେୟ ୧୦୦ ଟଙ୍କାକୁ ହ୍ରାସ ହୋଇଛି। ଏହାଛଡ଼ା ପ୍ରତି ପ୍ରଶ୍ନର ପୁନଃ ମୂଲ୍ୟାୟନ ଉପରେ ଦେୟ ୧୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିବାବେଳେ ଏହାକୁ ୨୫ ଟଙ୍କାକୁ କମାଇ ଦିଆଯାଇଛି। ଯଦି ପୁନଃ ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କ ନମ୍ବର ବଢ଼ିଲା ତେବେ ବିଦ୍ୟାର୍ଥୀ ଦାଖଲ କରିଥିବା ଫି’ ଫେରସ୍ତ ପାଇବ ବୋଲି ସିବିଏସ୍ଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି।ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ, ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନଲାଇନ୍ ତଥା ଅନ୍ ସ୍କ୍ରିନ୍ ମାର୍କିଂ କରାଯାଇଛି ।