ପୂର୍ବତନ ଲାଞ୍ଜିଗଡ ବିଧାୟକ ଶିବାଜୀ ମାଝୀ ଙ୍କ ପରଲୋକ*
କଳାହାଣ୍ଡି : ଶେଖର ସୁମନ ଦାଶ (HR ଟିଭି ଓଡ଼ିଆ) ନିଜ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ି ଆଗକୁ ଆସିଥିଲେ ଶିବାଜୀ ମାଝୀ। ପଞ୍ଚାୟତ ରାଜନୀତିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରି ନୂତନ ନିର୍ବାଚନ ମଣ୍ଡଳୀ ଗଠନ ପରେ ସେ ହୋଇଥିଲେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ। ନିଜ କାର୍ଯ୍ୟକାଳ ସମୟରେ ଲାଞ୍ଜିଗଡ଼ ବ୍ଲକ, ଥୁଆମୂଳ ରାମପୁର ଭଳି ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳ ସମେତ ନିର୍ବାଚନ ମଣ୍ଡଳୀରେ ସାମିଲ ଥିବା ଜୟପାଟଣା, ଭବାନୀପାଟଣା ସଦର ବ୍ଲକର ଅନେକାଂଶରେ ବିକାଶର ମୂଳଦୁଆ ପକାଇଥିଲେ। ସେହିପରି କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ହେବା ପରେ ସେ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସୀମିତ ସମୟ ମଧ୍ୟରେ ଜିଲ୍ଲାର ୧୧ଗୋଟି ବ୍ଲକ ଅଞ୍ଚଳର ଆଦିବାସୀ ବହୁଳ ଅଞ୍ଚଳର ବିକାଶ ପାଇଁ ସହଯୋଗର ହାତ ବଢ଼ାଇଥିଲେ। ଜଣେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବି ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିଲେ। ଏଇ କିଛି ଦିନ ଧରି ସେ ଅସୁସ୍ଥ ଥିବାବେଳେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଗାଁ ବିଜେପୁର ଦନାରଗୁଡ଼ାଠାରେ ତାଙ୍କର ଦେହାବସାନ ଘଟିଛି। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଅଞ୍ଚଳ ବାସୀ । କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।