ଗଣିଆ ଥାନା ତରଫରୁ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ, ଯୁବପିଢ଼ି ସଚେତନ ପାଇଁ ଆହ୍ୱାନ

ଗଣିଆ -( ବିଶ୍ୱରଂଜନ ସେଠି ) ମଙ୍ଗକବାର ଦିନ ଅପରାହ୍ନରେ ଗଣିଆ ଥାନାରେ ‘ନିଶାମୁକ୍ତ ଭାରତ ଅଭିଯାନ’ ସତର୍କତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଟଙ୍କଧର ଛତ୍ରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ ଆଇ ଶ୍ୟାମ ସୁନ୍ଦର ପ୍ରଧାନ ଓ ଏଏସଆଇ ସାହା ଆଲାମ ଖାଁ ଓ ସମସ୍ତ ପୋଲିସ କର୍ମଚାରୀ ସାମିଲ ହୋଇ ସମାଜକୁ ନିଶାମୁକ୍ତ କରିବା ପାଇଁ ସଂକଳ୍ପ ନେଇଛନ୍ତି। ଥାନା ଅଧିକାରୀ ସମସ୍ତ କର୍ମଚାରୀଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରାଇଥିଲେ। ନିଜେ ନିଶାଦ୍ରବ୍ୟରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିବାକୁ ସଂକଳ୍ପ ନିଆଯାଇଥିଲା। ଗଣିଆ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ନିଶା କାରବାର (ଯେପରିକି ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ) ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଚେତାବନୀ ଦେଇଥିଲେ ।

ବ୍ଲକ ର ବିଭିନ୍ନ ଗ୍ରାମଗୁଡ଼ିକରେ ଜନସାଧାରଣ ଓ ବିଶେଷ କରି ଯୁବବର୍ଗଙ୍କୁ ସଚେତନ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱେଚ୍ଛାସେବୀ ଓ ଅନୁଷ୍ଠାନଗୁଡ଼ିକର ସହଯୋଗ ନିଆଯିବ । ନିଶାମୁକ୍ତ ଭାରତ ଅଭିଯାନ’ (NMBA) ହେଉଛି ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ (Ministry of Social Justice and Empowerment) ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ। ୧୫ ଅଗଷ୍ଟ ୨୦୨୦ରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶକୁ ନିଶାମୁକ୍ତ କରିବା ଏବଂ ବିଶେଷ କରି ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ରକ୍ଷା କରିବା ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ଛତ୍ରିଆ କହିଛନ୍ତି ।