ଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ, ୯,୪୫୦ କୋଟିର ପ୍ରକଳ୍ପକୁ ମଞ୍ଜୁରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅର୍ଥନୈତିକ ବ୍ୟାପାର କମିଟି ଦେଶର ରେଳ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବୁଧବାର ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି ।ଖଡ଼ଗପୁର–ଭଦ୍ରକ, ଭଦ୍ରକ–ହରିଦାସପୁର ଓ କଟକ–ପାରାଦୀପ କରିଡର ସାମିଲ; ୪୧୦ କିମି ବଢ଼ିବ ରେଳ ନେଟୱର୍କ । ଦେଶର ଚାରିଟି ରାଜ୍ୟରେ ରେଳ ନେଟୱର୍କର କ୍ଷମତା ବୃଦ୍ଧି ପାଇଁ ଚାରିଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ୯ହଜାର ୪୫୦ କୋଟି । ଏହାଦ୍ୱାରା ଭାରତୀୟ ରେଳବାଇର ନେଟୱର୍କ ପ୍ରାୟ ୪୧୦ କିଲୋମିଟର ବୃଦ୍ଧି ପାଇବ ।ଏହି ପ୍ରକଳ୍ପଗୁଡ଼ିକ ‘ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍’ ଅଧୀନରେ ପ୍ରସ୍ତୁତ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ସମନ୍ୱିତ ଯୋଜନା ଏବଂ ଭାଗୀଦାରମାନଙ୍କ ସହ ଆଲୋଚନା ମାଧ୍ୟମରେ ମଲ୍ଟି-ମୋଡାଲ୍ କନେକ୍ଟିଭିଟି ଏବଂ ଲଜିଷ୍ଟିକ୍ସ ଦକ୍ଷତାକୁ ବୃଦ୍ଧି କରିବା । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଲୋକ, ସାମଗ୍ରୀ ଏବଂ ସେବାର ନିରବଚ୍ଛିନ୍ନ ଚଳାଚଳ ସୁନିଶ୍ଚିତ ହେବ ।